ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଖୋର୍ଦ୍ଧା ଆଇଟିବିପି
କ୍ୟାମ୍ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅସ୍ଥାୟୀ କୋଠାର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସର
ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଏକକାଳୀନ 8ଟି କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଛି । ଏସବୁକୁ
ମିଶାଇ ଓଡ଼ିଶାରେ ମୋଟ 75ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି । ସବୁ
ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ଅଛି । 45ଟି
ସବଡିଭିଜନରେ ଖୋଲି ସାରିଲାଣି କେନ୍ଦ୍ରୀୟ ବିଦ୍ୟାଳୟ । ଆଉ ବାକି ସବଡିଭିଜନ ଗୁଡିକରେ ଖୁବଶୀଘ୍ର
ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ । ଆଇଟିବିପି କଲୋନୀର ପିଲା ମାନଙ୍କ ସମେତ ଖୋର୍ଦ୍ଧା ଅଞ୍ଚଳର
ଅନ୍ୟ ସାଧାରଣ ନାଗରିକଙ୍କ ପିଲା ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିବେ ।
ଗୋଟିଏ ଲେଖାଏଁ ସେକ୍ସନରେ 200ରୁ ଉର୍ଦ୍ଧ୍ବ ପିଲା ପଢ଼ିବେ । ଅସ୍ଥାୟୀ
କ୍ୟାମ୍ପସରେ ସ୍କୁଲ ଖୋଲିଥିବା ବେଳେ ସ୍ଥାୟୀ କ୍ୟାମ୍ପସ କାମ ମଧ୍ୟ 2ରୁ
3 ବର୍ଷ ଭିତରେ ଶେଷ ହେବ । ଖୋର୍ଦ୍ଧା ଅଞ୍ଚଳର ଏହା ଦଶମ ସ୍କୁଲ ହେଲା
। ପିଏନ କଲେଜ ଅନେକ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିତ୍ଵ ମାନଙ୍କୁ ତିଆରି କରିଛି । ବକ୍ସି
ଜଗବନ୍ଧୁ ଇଂରାଜୀ ଜାଣି ନଥିବା ସତ୍ତ୍ଵେ ଇଂରେଜ ମାନଙ୍କ ସହ ଲଢେଇ କରିଥିଲେ । 1835 ମସିହାରେ ତତ୍କାଳୀନ ବ୍ରିଟିଶ ପ୍ରଶାସକ ମ୍ୟାକଲେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ
କରିଥିଲେ । ତେଣୁ ସେହି ଇଂରେଜ ମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ
ନରେନ୍ଦ୍ର ମୋଦୀଙ୍କ ସରକାର 2020ରେ ଜାତୀୟ ଶିକ୍ଷା ନୀତର ପ୍ରଣୟନ କଲେ
। ଯେଉଁ ଭାଷାଭାଷୀ ରାଜ୍ୟର ପିଲା ହୁଅନ୍ତୁ, ପ୍ରାଥମିକ ଶିକ୍ଷା ମାତୃ
ଭାଷାରେ ହେବା ଦରକାର । ପ୍ରଥମରୁ ପଞ୍ଚମ ପର୍ଯ୍ଯନ୍ତ ମାତୃଭାଷାରେ ପାଠ ପଢିଲେ ପିଲା ମାନେ
ଅବଦୁଲ କଲାମ ଓ ନରେନ୍ଦ୍ର ମୋଦିଙ୍କ ଭଳି ହୋଇପାରିବେ । ପୂର୍ବ ସରକାର ଜାତୀୟ ଶିକ୍ଷା ନୀତି
ଲାଗୁ କରୁନଥିଲେ । ନୂଆ ଡବଲ ଇଞ୍ଜିନ ସରକାର ଆସିବା ପରେ ଜାତୀୟ ଶିକ୍ଷା ନୀତି ଲାଗୁ ହେଲା ।
2047 ରେ ଭାରତକୁ
ବିକଶିତ କରିବା ଏବଂ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଆମ ପାଇଁ
ଦୁଇଟି ବଡ଼ ଲକ୍ଷ୍ୟ । ଏଥିପାଇଁ ଅଧ୍ୟବସାୟ କରିବାକୁ ପଡ଼ିବ । ତେଣୁ ପିଲା ମାନଙ୍କୁ ପାଠ
ପଢ଼ାଇଲେ ହିଁ ଏହା ସମ୍ଭବ । ଓଡ଼ିଆ ପିଲା ମାନଙ୍କୁ କୁଶଳୀ ବା ସ୍କିଲଡ କରିବାକୁ ପଡ଼ିବ ।
ରାଷ୍ଟ୍ରୀୟ ଶିକ୍ଷା ନୀତି ମାତୃ ଭାଷା ଆଧାରିତ ଶିକ୍ଷା, ଉଦ୍ୟମୀ
ଆଧାରିତ ଶିକ୍ଷା ଉପରେ କାମ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା