ମାଲକାନଗିରି, ୧୫ ଜୁଲାଇ (ହି.ସ.)- ବାଲେଶ୍ବର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରି ବିକ୍ଷୋଭ କରିଥିଲେ। ନିରୀହ ଛାତ୍ରୀର ଜୀବନ ନେଇଗଲେ ଅମାନୁଷିକ ମଣିଷ। ପରିଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବିଚାରି ସୌମ୍ୟାଶ୍ରୀ। ବଞ୍ଚିବାର ଆଶା, ସ୍ବପ୍ନ ସବୁ ଧୂଳିସାତ ହୋଇଗଲା, ବାଲେଶ୍ୱର ସ୍ଥିତ ଫକିର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଏବଂ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସମ୍ୱନ୍ଧରେ ସରକାରଙ୍କ ବିଫଳତା, ଓଡ଼ିଶାରେ ଦିନକୁ ଦିନ ଗଣବଳତ୍କାର ବୃଦ୍ଧିକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ (ଚିଟି ଭାଇ)ଙ୍କ ନେତୃତ୍ୱରେ ଜିଲ୍ଳା କଂଗ୍ରେସର ସମସ୍ତ ଦଳୀୟ କର୍ମକର୍ତ୍ତା ମିଶି ରାଜ୍ୟର ସମସ୍ତ ଛାତ୍ରୀ ମାନଙ୍କର ସୁରକ୍ଷା, ନାରୀ ନିର୍ଯାତନା ତଥା ଏହି ଡବଲ ଇଞ୍ଜିନ ସରକାରଙ୍କ ଏକ ବର୍ଷ ମଧ୍ୟରେ ଯେଉଁଭଳି ଅତ୍ୟାଚାର ବଢିଛି ତା ବିରୁଦ୍ଧରେ ଦାବି ରଖିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମାଲକାନଗିରି ମହାବିଦ୍ୟାଳୟ ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ କୁଷ ପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଗାମୀ ୧୭ ତାରିଖରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାରେ ଚକଅଖ, ଅଫିସ ବ୍ୟାଙ୍କ ଆଦି ସମ୍ପୂର୍ଣ ବନ୍ଦ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଏହି ବିକ୍ଷୋଭ ରେ ଜିଲ୍ଳା କଂଗ୍ରେସ ର ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ପି. କେଶୁ ରାଓ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗି,ସରୋଜ ପାତ୍ର, ଭିମା ବାର୍ଶେ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଇଶାକ ଖୋସଲା, ପ୍ରଭାକର ପାଳଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ