ଗଞ୍ଜାମ, ୧୫ ଜୁଲାଇ (ହି.ସ.)- ଶିଶୁଟି ସମାଜର ଭବିଷ୍ୟତ ଏବଂ ଶିଶୁ ସାହିତ୍ୟ ହିଁ ସାହିତ୍ୟର ଆଦ୍ୟ ସ୍ବର ବୋଲି ଶିଶୁ ସାହିତ୍ୟ ବିକାଶ ପରିଷଦର ମାସିକ ଶିଶୁ ସାହିତ୍ୟ ଆସରରେ ସଭାପତି ହାଡ଼ିବନ୍ଧୁ ମାଳି ଆଲୋଚନା ମତବ୍ୟକ୍ତ କରିଥିଲେ। ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଶିଶୁ ସାହିତ୍ୟ ବିକାଶ ପରିଷଦର ଶିଶୁ ସାହିତ୍ୟ ଆସର ସଭାପତି ହାଡ଼ିବନ୍ଧୁ ମାଳି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାହିତ୍ୟ ଆସରରେ କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ନନ୍ଦ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସଂଯୋଜିକା କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର ପ୍ରମୁଖ ଆସର ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ବେଦ ପାଠ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଓଡ଼ିଶାର ପାଠାଗାର ଆନ୍ଦୋଳନ ପ୍ରବକ୍ତା ତଥା ପ୍ରସିଦ୍ଧ ଅରବିନ୍ଦ ସଂଗ୍ରାହଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକ ଦାସିଆ ଅଜାଙ୍କ ୧୧୮ତମ ଜନ୍ମ ଦିବସ ଅବସରରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅନୁଷ୍ଠିତ କବିତା ପାଠୋତ୍ସବରେ କୋଷାଧ୍ୟକ୍ଷ ମୋହନ କୁମାର ସ୍ବାଇଁ, ଡ଼ ବିଜୟ ଚନ୍ଦ୍ର ମହାରଣା, କବୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଆମ୍ମା ନଦାଡା ବିରୁପାକ୍ଷ ଦାଶ, ଶଙ୍କର୍ଷଣ ତ୍ରିପାଠୀ,ଅନିଳ ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନ୍ୟ କବି କବୟିତ୍ରୀ ଉପସ୍ଥିତ ରହି ସ୍ବରଚିତ ଶିଶୁ କବିତା ପାଠ କରିଥିଲେ ଶେଷରେ ବିଜୟ ଚନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ