ମାଲକାନଗିରି, ୨୨ ଜୁଲାଇ (ହି.ସ.)- ମାଲକାନଗିରି ଜିଲାରେ ଜଣେ ନାବାଳିକା ସହ ବଳାତ୍କାର ଅଭିଯୋଗ ହୋଇଛି। ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି ପରେ ଝିଅର କୌଣସି ପତ୍ତା ମିଳି ନ ଥିଲା। ତେବେ ଏହାରି ମଧ୍ୟରେ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟି ଠାରେ ବିଳମ୍ବିତ ରାତିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରି ମାଲକାନଗିରି ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି ସଦନ ଗୃହରେ ରଖିଥିଲେ। ଏହା ସହ ଟ୍ରକ ଚାଳକକୁ ଅଟକ ରଖିଥିଲେ। ଏନେଇ ଖବର ପାଇବା ପରେ ଆଜି ଉକ୍ତ ନାବାଳିକାର ମା’ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ୩୬୩/୨୫ରେ ଏକ ମାମଲା କରି ଘଟଣାର ତଦନ୍ତ ଜାରି ରଖିବା ସହ ନାବାଳିକାର ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଶକ୍ତି ସଦନରେ ରଖା ଯାଇଥିବା ଜଣାପଡିଛି !
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ