ସମ୍ବଲପୁର, ୨୨ ଜୁଲାଇ (ହି.ସ.) ରାଜ୍ୟରେ ନାରୀ ସମାଜର ସୁରକ୍ଷା ନେଇ ବିଜେଡି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଓ କରିଥିବା ବେଳେ ବିଜେଡିର ନେତୃମଣ୍ଡଳୀ ସରକାର ବିରୋଧରେ ନାନା ଅଭଯୋଗ ଆଣିଛନ୍ତି । ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ପୂର୍ବତନ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରୀ ନାୟକ ବିରୋଧୀଙ୍କୁ ଆକ୍ଷେପ କରି ଗର୍ଜିଛନ୍ତି । ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଜରିଆରେ ଦେଇଥିବା ପ୍ରେସ ବିବୃତିରେ ଉଭୟ ନେତା କହିଛନ୍ତି ଯେ' ସ୍ବଚ୍ଛ ଓ ନିର୍ମଳ ଶାସନର ଦ୍ବାହୀ ଦେଇ
ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନିରକୁଂଶ ଭାବେ ଶାସନ କରିଥିବା ବିଜେଡି ଦଳ ଆଜି ନାରୀ ଅତ୍ୟାଚାର, ନାରୀ ସୁରକ୍ଷାକୁ ନେଇ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛି ତାହା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ । ବିକ୍ଷୋଭରେ ବିଜେଡି ନେତୃବୃନ୍ଦ ସରକାରଙ୍କ ବିରୁଦ୍ଧରେ ଯାହା ଯାହା ଆପତ୍ତି ଅଭିଯୋଗ ଆଣିଛନ୍ତି ସବୁ ମିଥ୍ୟା, ଭିତ୍ତିହୀନ ଓ ତଥ୍ୟ ବିହୀନ ।
ବିଜେଡିର ଆନ୍ଦୋଳନ ଚାଲୁଣୀର ଛୁଞ୍ଚିକୁ ଆକ୍ଷେପ ସଦୃଶ୍ୟ - ଜୟ ନାରାୟଣ
ବିଗତ ୨୪ ବର୍ଷ ରେ ଓଡିଶା ରେ ହଜାର ହଜାର ନାରୀ ନିର୍ଯ୍ୟାତନା, ବଳାତ୍କାର, ଗଣ ଧର୍ଷଣ ର ଅଘଟଣ ଘଟିଥିଲା । ପରି, ବେବିନା, କୁନ୍ଦୁଲି, ମେଧବୀଲତା, ଛବି ରାଣୀ, ମମିତା ମେହେର, ପିହୁ, ଇତିଶ୍ରୀ, ସଶ୍ମିତା, ରୁଚିକା, ସ୍ମିତା ରାଣୀ ଭଳି ଶହ ଶହ ବହୁ ଚର୍ଚ୍ଚିତ ଘଟଣା ଘଟିଥିଲା । ପ୍ରାୟ ପ୍ରାୟ ପ୍ରତ୍ୟେକ ଘଟଣାରେ ବିଜେଡି ନେତା ମନ୍ତ୍ରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଥିଲେ । ନେତା ମନ୍ତ୍ରୀଙ୍କ ବିରୁଦ୍ଧରେ ପିଡିତା କିମ୍ବା ପିଡିତାଙ୍କ ପରିବାର ସିଧାସଳଖ ଅଭଯୋଗ ଆଣୁଥିଲେ ମଧ୍ୟ ସ୍ବଚ୍ଛ ଓ ନିର୍ମଳ ସରକାର ସବୁ କିଛି ଚପାଇ ଦେଉଥିଲେ । 'ଅନୁସନ୍ଧାନ ଚାଲିଛି' ଓ 'ଆଇନ ତା ବାଟରେ ଯିବ' କହିଦେଇ ସରକାର ନିଜ ଦାୟିତ୍ୱରୁ ଖସି ଯାଉଥିଲେ । କୌଣସି ମହିଳା ନିର୍ଯାତନା, ସନ୍ଦେହ ଜନକ ମୃତ୍ୟୁ ଏପରିକି କୈଳାସ ଅପରାଧିକ
ଘଟଣାରେ ନା ହେଉଥିଲା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ନା ମିଳୁଥିଲା ପିଡିତାଙ୍କୁ ନ୍ୟାୟ ।
ରାଜ୍ୟର ବିକାଶ ଓ ନାରୀ ସୁରକ୍ଷା ପ୍ରତି ମୋହନ ସରକାର ପ୍ରତିଶ୍ରୁତିବଦ୍ଧ - ନାଉରୀ ନାଏକ
ବର୍ତ୍ତମାନର ମୋହନ ମାଝୀଙ୍କ ସରକାର ପ୍ରତ୍ୟେକ ଘଟଣାରେ ତତ୍ପରତା ଓ କ୍ରିୟାଶୀଳ ହୋଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ପିଡିତା କିମ୍ବା ତାଙ୍କ ପରିବାର ନ୍ୟାୟ ପାଇବା ତ ଦୂରର କଥା, ସେତେବେଳେ କେହି ବି ସରକାରୀ ନେତା ମନ୍ତ୍ରୀ ଅଧିକାରୀ ପିଡିତା କିମ୍ବା ତାଙ୍କ ପରିବାରକୁ ସାକ୍ଷାତ ମଧ୍ୟ କରିବାକୁ ଯାଉନଥିଲେ । ହେଲେ ଆଜି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଠୁଁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ପିଡିତା ଓ ପିଡିତାଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନର ପ୍ରତିଶୃତି ଦେଉଛନ୍ତି । କେବଳ ପ୍ରତିଶୃତି ଦେଉନାହାଁନ୍ତି ତହିଁନୁସାରେ ସରକାରୀ ଅଧିକାରୀଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇ ଦୃଷ୍ଟାନ୍ତମୂଳକ ଓ କଠୋର କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରୁଛନ୍ତି । ଏଣୁ ବିଜେଡି ଏଭଳି ଘୃଣ୍ୟ ଓ କୁତ୍ସିତ ରାଜନୀତିରୁ ନିବୃତ ରହି ନିଜ ଶାସନକାଳରେ କରିଥିବା ଅକଥନୀୟ ଅନ୍ୟାୟ ଅତ୍ୟାଚାର ବ୍ୟଭିଚାରର ଦଣ୍ଡ ଭୋଗିବାକୁ ଓ ପ୍ରାୟଶ୍ଚିତ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ମୋହନ ମାଝୀଙ୍କ ସରକାର ଲୋକଙ୍କ ସରକାର । ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଲୋକଙ୍କ ଧନଜୀବନ ରକ୍ଷା ଓ ବିଶେଷ ଭାବେ ନାରୀ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟ ନେତା କହି ବିଜେଡିର ଏହି ପ୍ରହସନାତ୍ମକ ବିକ୍ଷୋଭକୁ ତୀବ୍ର ସମାଲୋଚନା କରିଥିଲେ । ସେହିପରି ମହିଳା ସୁରକ୍ଷା ନେଇ ବିଜେଡିର କୁମ୍ଭୀର କାନ୍ଦଣାକୁ ଜୟନାରାୟଣ ଓ ନାଉରୀ ନାୟକ କଡା ଜବାବ ଦେଇଥିବା ବେଳେ କଂଗ୍ରେସ ନେତାଙ୍କ କାମୁକ ସରାଗୀ ନେଇ ବିଜେପି ଯୁବମୋର୍ଚ୍ଚା କୁଶ ପୁତ୍ତଳିକା ଦାହ କରିଛି । ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ଉଡ଼ିତ୍ ପ୍ରଧାନଙ୍କ ଘୃଣ୍ୟ କାମୁକ କାର୍ଯ୍ୟକଳାପ ବିରୁଦ୍ଧରେ ସ୍ଥାନୀୟ ଗୋଲବଜାର ଛକ ଠାରେ ଦଳର ତଥାକଥିତ ମୁଖିଆ ରାହୁଲ୍ ଗାନ୍ଧୀଙ୍କ କୁଶ ପୁଳିକା ଦାହ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚାର କୋଷାଧକ୍ଷ କାହ୍ନୂରାମ ଶର୍ମାଙ୍କ ନେତୃତ୍ୱରେ ଅନୀଲ ବେହେରା, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ରିକି ବେହେରା, କବିନ୍ଦ୍ର ମହାପାତ୍ର, ତାପସ ପଣ୍ଡା, ରାହୁଲ୍ ମୋଦକ୍, କ୍ରୀଷ୍ଣା ମହାକୁଡ, ସୌମିତ୍ର ଜତି , ସନ୍ତୋଷ ଡାଲୁଆ, ହରିହର ପଣ୍ଡା, ଅଜୟ ବେହେରା, ଉଲ୍ଲାସ ବାରିକ, ଅଜୟ ବଡଗେଇୟାନ, ତରୁଣ ଗାନ୍ଧୀ, ଶ୍ରୀଦେଶ ଝକ୍ରିଆ, ସୁଶାନ୍ତ ପ୍ରଧାନ, ରୁନୁ ପ୍ରଧାନ, ଅଞ୍ଜଳୀ ଦୀପ ସମେତ ଶତାଧିକ କର୍ମୀ ମହିଳା ସୁରକ୍ଷା ନୀତି ଦାବିରେ କଂଗ୍ରେସର ବିକ୍ଷୋଭ ଓ ଆନ୍ଦୋଳନର ପ୍ରଛଦପଟରେ ଥିବା ସମ୍ଭୋଗ କାମନାକୁ ତୀବ୍ର ଭର୍ତ୍ସନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ