ସମ୍ବଲପୁର 24 ଜୁଲାଇ (ହି.ସ.)
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାସୀ ଗତ କିଛି ମାସ ଧରି ଜାଳେଣି ଗ୍ୟାସ ପାଇଁ ବହୁତ କଲବଲ ହେଉଛନ୍ତି। ରେଙ୍ଗାଲିରେ ହଜାର ହଜାର ଇଣ୍ଡେନ୍ ଗ୍ୟାସ ହିତାଧିକାରୀ ହଇରାଣ ହୋଇ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତ୍ୟେକ ଦିନ ୫ ଘଣ୍ଟା ଧରି ଗ୍ୟାସ ଗାଡ଼ିକୁ ଅପେକ୍ଷା କଲେ ଗ୍ୟାସ ଗାଡ଼ି ଆସୁଛି, ତାପରେ ଲମ୍ବା ଧାଡ଼ିରେ ଦୀର୍ଘ ୨ଘଣ୍ଟା ଅପେକ୍ଷା କଲେ ଗ୍ୟାସ ସିଲିଣ୍ଡରଟିଏ ମିଳୁଛି। ଯେଉଁ ଦିନ ଗ୍ୟାସ ଆଣିବାକୁ ଯିବାକୁ ପଡୁଛି ସେ ଦିନ ତମାମ ଅପେକ୍ଷା ଓ ଏଠି ସେଠି ଧାଡ଼ି ବାନ୍ଧି ଦିନ ତମାମ ବିତି ଯାଉଛି। ଘରର ଗ୍ୟାସ ସରିଗଲେ ସିଲିଣ୍ଡରଟିଏ ଆଣିବା ପାଇଁ ଚାକିରି ବାଲା ଲୋକେ ଛୁଟି ନେଉଛନ୍ତି ତ ଦୋକାନ ବଜାର ବାଲା ମାନେ ବ୍ଯବସାୟୀ ନିଜ ଦୋକାନ ବନ୍ଦ କରି ଗ୍ୟାସ ନେବାକୁ ଯାଉଛନ୍ତି। ଖାଲି ଏତିକିରେ ଦୁଃଖ ସରିନାହିଁ, ବିଡ଼ମ୍ବନାର ବିଷୟ ଗ୍ଯାସ ବୁକିଙ୍ଗ କଲେ ଗ୍ଯାସ ମିଳୁନାହିଁ , କିନ୍ତୁ ଦୁଇ ଦିନ ପରେ ସବସିଡ୍ ମେସେଜ ମୋବାଇଲରେ ମିଳିଯାଉଛି । ଏଣୁ ବୁକିଙ୍ଗ କରିଥିବା ଗ୍ଯାସ ଯାଉଛି କୁଆଡେ ତାହା ତଦନ୍ତ ସାପେକ୍ଷ । ହୋମ ଡେଲିଭରି ବ୍ୟବସ୍ଥା ଏବେ ଆଉ ନା ହିଁ କହିଲେ ଚଳେ । ବହୁ ସମୟରେ ଗ୍ଯାସ ବୁକିଙ୍ଗ ହୋଇ ମଧ୍ୟ ଅଟୋମେଟିକ କ୍ଯାନସେଲ ହୋଇଯାଉଛି। ଏବେ ଦୁଇ ଦିନ ହେବ ବୁକିଙ୍ଗ କଲେ ଗୋଟିଏ ଗ୍ୟାସ ଏଜେନ୍ସି ନାମରେ ଗ୍ଯାସ୍ ବୁକିଙ୍ଗ ହୋଇଯାଉଛି । ମାତ୍ର ତାପରେ ଅନ୍ୟ ଗୋଟିଏ ଗ୍ୟାସ ଏଜେନ୍ସି ନାମକୁ ମନକୁମନ ଟ୍ରାନ୍ସଫର ହୋଇଯାଉଛି। ଜାଳେଣି ଗ୍ୟାସ ପାଇଁ ଏପରି ବହୁ ଦୁଃଖ ଭୋଗୁଛନ୍ତି ଅଞ୍ଚଳବାସୀ।
ଏନେଇ ମାର୍କେଟିଙ୍ଗ ଇନ୍ସପେକ୍ଟର ମର୍ଶାଲିନ ପଡ଼ିହାରୀଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା ୫/୬ ଦିନରେ ସବୁ ଅବ୍ୟବସ୍ଥା ଠିକ୍ ହୋଇଯିବ, ସମସ୍ତେ ଠିକ ଭାବରେ ଗ୍ଯାସ୍ ପାଇବେ ଓ ହଇରାଣ ହେବାକୁ ପଡ଼ିବ ନାହିଁ। ମାତ୍ର ଇତି ମଧ୍ୟରେ ଦୁଇ ମାସ ହେବ ରେଙ୍ଗାଲି ବିତରକ କେନ୍ଦ୍ର ବନ୍ଦ ହେବା ପରେ ସମ୍ବଲପୁର ଜିଲ୍ଲାର ରିଲାଇବୁଲ ଓ ଲିପି ଗ୍ଯାସ୍ ଏଜେନ୍ସି ରେଙ୍ଗାଲିରେ ଡିପୋ କରି ଗ୍ଯାସ ଦେଉଥିଲେ, ସେମାନେ ଉଭୟେ ଆଉ ଗ୍ଯାସ ଯୋଗାଇ ପାରିବୁ ନାହିଁ ବୋଲି ଲିଖିତ ଭାବରେ ଆମକୁ ଜଣାଇ ଦେଇଛନ୍ତି । ଦିନ ଦୁଇ ଦିନ ପରେ ମାଁ ସମଲେଶ୍ଵରୀ ଗ୍ଯାସ ଏଜେନ୍ସି ରେଙ୍ଗାଲିରେ ଡ଼ିପୋ କରି ସମସ୍ତଙ୍କୁ ଠିକ ସମୟରେ ଯୋଗାଇ ଦେବ ବୋଲି ଇଣ୍ଡେନ ଗ୍ଯାସ ଏରିଆ ମେନେଜର ସହ ସମସ୍ତ ପ୍ରକାରର ଆଲୋଚନା ସରିଛି । ଆମକୁ ୫/୬ଦିନ ସମୟ ଲାଗିବ ବୋଲି ପ୍ରକାଶ କରିଛନ୍ତି। ଏବିଷୟରେ ସମ୍ବଲପୁର ସିଏସଓଙ୍କ ଠାରେ ଗୁହାରି କରିବାବାରୁ ସେ କହିଲେ ମୋ ନଜରକୁ ଜାଳେଣି ଗ୍ଯାସ ପାଇଁ ଏତେ ଅସୁବିଧା ହେଉଥିବା କଥା ଆସିନଥିଲା । ମୁଁ ରେଙ୍ଗାଲି ଏମଆଇଙ୍କୁ ନିର୍ଦେଶ ଦେଉଛି, ଏହି ସମସ୍ୟା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ମନିଟରିଂ କରି ମୋତେ ରିପୋର୍ଟ ଦେବେ ଓ ସମସ୍ୟା ର ସମାଧାନ ଖୁବଶୀଘ୍ର କରାଯିବ। କୌଣସି ପ୍ରକାରର କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ନିଜ ସଫେଇରେ କହିଛନ୍ତି।ରେଙ୍ଗାଲି ପଞ୍ଚାୟତରେ ଥିବା ଗ୍ରାମୀଣ ବିତରକ କେନ୍ଦ୍ର ଉପରେ ସାଡ, ରେଙ୍ଗାଲି, ନିଶାନଭଙ୍ଗା, ଜଙ୍ଗଲା, କତରବଗା, ଲପଙ୍ଗା, ଠେଲକୁଲି, ଖୁଣ୍ଡା, ଘିଚାମୁରା, ବୋମାଲୋଇ ସମେତ ଧନକଉଡ଼ା ପଞ୍ଚାୟତର ଲୋକେ ନିର୍ଭରଶୀଳ ରହିଛନ୍ତି। ରେଙ୍ଗାଲି ପଞ୍ଚାୟତରେ ଥିବା ଗ୍ରାମୀଣ ବିତରକ କେନ୍ଦ୍ର ଅଧୀନରେ ଏବେ ପ୍ରାୟ ୪୦୦୦ରୁ ୫୦୦୦ ହିତାଧିକାରୀ ନିର୍ଭରଶୀଳ ରହିଛନ୍ତି । ଜାଳେଣି ଗ୍ୟାସ ବିତରଣରେ ଏଭଳି ସମସ୍ୟା ଏବେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ