ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
ବାରିପଦା,୨୫ ଜୁଲାଇ (ହି.ସ.) - ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ସକାଳୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାରେ ଭାରି ବୃଷ୍ଟିପାତ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାରନିଙ୍ଗ ପ୍ରଦାନ କରାଯାଇଥିଲା। ଏହା ପ୍
ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ


ବାରିପଦା,୨୫ ଜୁଲାଇ (ହି.ସ.) - ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ସକାଳୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାରେ ଭାରି ବୃଷ୍ଟିପାତ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାରନିଙ୍ଗ ପ୍ରଦାନ କରାଯାଇଥିଲା। ଏହା ପ୍ରଭାବରେ ବାରିପଦା ସମେତ ଜିଲ୍ଲାବ୍ୟାପି ବର୍ଷାର ମାତ୍ରା ବୃଦ୍ଧି ପାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଶୁକ୍ରବାର ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ। ଏନେଇ ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ପ୍ରକାରର ସ୍କୁଲ (ସରକାରୀ ଏବଂ ବେସରକାରୀ) ବନ୍ଦ ରହିବ। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ ସହିତ ସଂଲଗ୍ନ ଛାତ୍ରାବାସର ଅନ୍ତେବାସୀ ମାନଙ୍କୁ ଆଜବେଷ୍ଟସ୍ କିମ୍ବା କଚ୍ଛା କୋଠା ବଦଳରେ କଂକ୍ରିଟ୍ କୋଠାକୁ ସ୍ଥାନାନ୍ତର କରିବା ପାଇଁ ବିଇଓ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ଯେପରି କୌଣସି ପ୍ରକାରେ କ୍ଷୟକ୍ଷତି ହୋଇଥିବା ଶ୍ରେଣୀ କୋଠା କିମ୍ବା କୋଠା ବ୍ୟବହାର ନକରନ୍ତି ତାହା ମଧ୍ୟ ବିଇଓ ମାନେ ନିଶ୍ଚିତ କରିବାକୁ କହିଛନ୍ତି। ବୃଷ୍ଟିପାତ ସତର୍କତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ନିଜେ ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଏହାସହିତ ଶିମିଳିପାଳ ଅଭୟାରଣ୍ୟରେ ବୃଷ୍ଟିପାତ ଜଳ ପାହାଡ ଉପରୁ ପ୍ରବାହିତ ହୋଇ ବୁଢାବଳଙ୍ଗ ଓ ଅନ୍ୟ ନଦୀ ମିଶିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁକରି ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନଦୀ ସଂଲଗ୍ନ ଅଂଚଳ ପରିଦର୍ଶନ କରିଛନ୍ତି। ଏହାସହିତ ବନ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରି ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ସ୍ଥିତି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରେକର୍ଡ ସଂଖ୍ୟକ ବୃଷ୍ଟିପାତ ସମ୍ଭାବନା ଥିବା ନେଇ ଆଂଚଳିକ ପାଣିପାଗ ବିଭାଗ ସତର୍କ କରିଛନ୍ତି। ଯାହାକୁ ନେଇ ଡ୍ୟାମ, ନଦୀ ଏବଂ ଅନ୍ୟାନ୍ୟ ଜଳଉତ୍ସ ଗୁଡ଼ିକର ଜଳସ୍ତର ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଦୃଷ୍ଟି ରଖାଯାଇଛି। ଅନ୍ୟପଟେ ଜିଲ୍ଲାରେ ଥିବା ବନ୍ୟା ଆଶ୍ରୟ ସ୍ଥଳ ଗୁଡିକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲି ଦିଆଯାଇଛି। ତଳି ଅଂଚଳରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ବନ୍ୟା ଆଶ୍ରୟ ସ୍ଥଳକୁ ଯିବାକୁ ସଚେତନ କରାଯାଇଛି। ସମସ୍ତ ବ୍ଲକ ପ୍ରଶାସନ ମାନଙ୍କୁ ବର୍ଷା ସ୍ଥିତି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ପରିମାଣ ବୃଦ୍ଧି ପାଇଲେ ଲୋକଙ୍କୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲଘୁଚାପ ଅବପାତର ରୂପ ନେଇଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାହାକୁ ନେଇ ବର୍ଷା ଓ ବଜ୍ରପାତ ନେଇ ମୟୁରଭଞ୍ଜ ଜିଲ୍ଲାକୁ ଶନିବାର ମଧ୍ୟ ରେଡ଼ ୱାରନିଙ୍ଗ ଜାରି କରାଯାଇଥିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande