ଜୟପୁର, ୨୫ ଜୁଲାଇ (ହି.ସ.) - ଜୟପୁର ସନ୍ଧ୍ୟା ଫଙ୍କସନ ହଲ ପରିସରରେ ଘରୋଇ ବସ ମାଲିକ ସପ୍ସଘ ପକ୍ଷରୁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସଂଘର ସଂପାଦକ ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ସମସ୍ତ ଗାଡି ମାଲିକ ମାନଙ୍କୁ ଏକଜୁଟ ହୋଇ ଗାଡି ଚଳାଚଳ କରିବାକୁ ପଡିବ ବୋଲି କହିବା ସହ ଭେଦଭାବ ଗାଡି ଛାଡିବାରେ ଆଗପଛ ବିଚାର ନ କରି ସମସ୍ତେ ମିଳିମିଶି ରହିବାକୁ ଅନୁରୋଧ କରିଥିଲେ। ବିଗତ ଦିନରେ ଜୟପୁର ଘରୋଇ ବସମାଲିକ ସଂଘର ସଂପାଦକ ସ୍ୱର୍ଗତ ଦୁର୍ଗା ତ୍ରିପାଠୀ ଯେପରି ସଂଘକୁ ବଂଚେଇ ରଖିଥିଲେ ସେହିପରି ସମସ୍ତ ମାଲିକ ମାନେ ମଧ୍ୟ ଏକଜୁଟ ହୋଇ ସଂଘକୁ ଆଗକୁ ନେବାର ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ନୂତନ ବସଷ୍ଟାଣ୍ଡଠାରେ ମାଲିକ ସଂଘର ଏକ ଟିକଟ କାଉଂଟର ଉଦଘାଟନ କରାଯାଇଥିଲା। ଜୟପୁର ସହରରେ କେବଳ ଗୋଟିଏ ରେଜିଷ୍ଟର କାଉଂଟର ଚାଲୁ ରଖାଯିବ ବୋଲି ମାଲିକ ମାନେ ପ୍ରକାଶ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ପରାମର୍ଶ ଦାତା ସୁଶାନ୍ତ ଅଧିକାରୀ, ଉପଦେଷ୍ଠା ରାମ ପ୍ରସାଦ ପାଢୀ, ବସନ୍ତ ବିଶ୍ୱାଳଙ୍କ ସମେତ ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘ ସଂପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ଭୁବନେଶ୍ୱର, ଛତିଶଗଡ ଅଂଚଳର ମାଲିକ ମାନେ ଯୋଗ ଦେଇଥିଲେ। ଶେଷରେ ସଂଘ ସଭାପତି ବି. ସୁବ୍ରମଣ୍ୟମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି