ଭଦ୍ରକ, ୨୭ ଜୁଲାଇ (ହି.ସ.) - ବାଇକରେ ବସି ଯାଉଥିବା ବେଳେ ସାମ୍ନାକୁ ଆସିଗଲା ଗାଈ । ଭାରସାମ୍ୟ ହରାଇ ବାଇକରୁ ପଡିଗଲେ ଛାତ୍ର । ସରକାରୀ ଡାକ୍ତରଖାନାରେ ଥିବା ଅଭିଜ୍ଞ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଇବା ପାଇଁ ଘରୋଇ କ୍ଲିନିକକୁ ନେଇଗଲେ ପରିବାର ଲୋକେ । ଚିକିତ୍ସାରେ ଅବହେଳା ସହ ପୁଣି ଅପରେସନ ପାଇଁ ଆଉ ଏକ ନର୍ସିଂ ହୋମକୁ ନେବା ବେଳକୁ ହାତ ପଚି ଯାଇ କଳା ପଡ଼ି ଯାଇଥିଲା । ଶେଷରେ ହାତ କଟା ଗଲା । ଏମିତି ଏକ ସଙ୍ଗୀନ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଟାଉନ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ବହୁ ଦିନ ଅନ୍ତରରେ ମାମଲା ରୁଜୁ ହୋଇଛି । ଡାକ୍ତର ନିଜ ଅବହେଳାକୁ ସ୍ୱୀକାର କରୁନଥିବାବେଳେ ହାତ ହରାଇଥିବା ଛାତ୍ରର ପରିବାର ଲୋକେ ମଧ୍ୟ ଚୁପ୍ ରହିଥିବା ଘଟଣାକୁ ଅଧିକ ରହସ୍ୟବୃତ କରିଛି । ସୂଚନାଯୋଗ୍ୟ ଯେ,ଭଦ୍ରକ ଜିଲ୍ଲାର ଏକ ଛାତ୍ର ଯାହାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ତଳବନ୍ଧ ଅଂଚଳରେ । ତାଙ୍କ ବାପା ଶରତ ଚନ୍ଦ୍ର ରାଉତଙ୍କ ଏତଲା ଅନୁଯାୟୀ ଜୁନ ୧୫/୨୦୨୫ରେ ତାଙ୍କ ପୁଅକୁ ସେ ବାଇକରେ ନେଇ ଯାଉଥିବାବେଳେ ଏକ ଗାଈ ଗାଡ଼ି ସାମ୍ନାକୁ ଆସିଥିବା ଯୋଗୁଁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହେବା ସହ ବାଇକପୁଅର ବାମ ହାତରେ ପଡ଼ିଥିଲା । ପୁଅକୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଭଦ୍ରକ ଆଣିଥିବା ବେଳେ ଜାଣିଥିଲେ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ଡ଼ା.ଏମ.ମନୋଜ ନୂଆବଜାର ସ୍ଥିତ ମା ତାରିଣୀ କ୍ଲିନିକକୁ ଆଣିଥିଲେ । ସେଠାରେ ତାଙ୍କ ପୁଅକୁ ଦେଖାଇଥିଲେ । ସେଠାରେ ଏକ୍ସରେ ରିପୋର୍ଟ ଦେଖି ଡ.ଏମ୍ ମନୋଜ କହିଥିଲେ ଯେ,ବାମ ହାତ ଭଙ୍ଗିଛି ଏବଂ ଅପରେସନର ଆବଶ୍ୟକତା ଅଛି । ତେଣୁ ଦୁଇ ଦିନ ଅପେକ୍ଷା କରିବା ପାଇଁ କହିଥିଲେ । ପେନକିଲର ଇଞ୍ଜେକସନ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ପରିବାର ଲୋକଙ୍କ ଆପତି ସତ୍ୱେ ହାତର ଆଘାତ ସ୍ଥାନକୁ ପରିଷ୍କାର ନକରିବା ସହ ରକ୍ତ ଜମାଟ ବାନ୍ଧିଥିବା ସ୍ଥାନକୁ ନପୋଛି ତରବରିଆ ଭାବେ ବ୍ୟାଣ୍ଡେଜ୍ କରିଥିଲେ ବୋଲି ଏତଲାରେ ନାବାଳକ ଛାତ୍ରଙ୍କ ବାପା ଉଲ୍ଲେଖ କରିଛନ୍ତି । ୧୬ତାରିଖ ଔଷଧ ଓ ଇଞ୍ଜେକସନ ସତ୍ୱେ ପୁଅର ଯନ୍ତ୍ରଣା ଅଧିକ ହେବାରୁ ଡାକ୍ତରଙ୍କ ଆସିଷ୍ଟାଂଟଙ୍କୁ ଫୋନ୍ରେ ଯୋଗାଯୋଗ କରିଥିଲେ । ଡାକ୍ତରଙ୍କ ପରାମର୍ଶରେ ପେନକ୍ଲିୟର ଇଞ୍ଜେକସନ ଦେଇ ୧୭ ଜୁନରେ ଡ.ଏମ୍.ମନୋଜ ପ୍ରାଇଭେଟରେ ଅପରେସନ କରିଥିବା ଭଦ୍ରକ ଟାଉନ୍ ଥାନା ଅଧୀନ ମଠସାହି ସ୍ଥିତ ସାଇ ଭରଦ୍ୱାଜ ନର୍ସିଂ ହୋମକୁ ରୋଗୀଙ୍କୁ ଡ଼ାକି ଥିଲେ । ଏତଲାରେ ଅଭିଯୋଗ ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା କାର୍ଡ ବ୍ୟବହାର କରି ସନ୍ଧ୍ୟା ୬ଟା ରେ ଅପରେସନ ଥିଏଟରକୁ ନାବାଳକ ପୁତ୍ରକୁ ନିଆଯାଇଥିଲା । କିନ୍ତୁ ରାତି ୧.୧୫ପର୍ଯ୍ୟନ୍ତ ପୁଅ ଅପରେସନ ଥିଏଟରରୁ ନଫେରିବାରୁ ଡାକ୍ତରଙ୍କ ଡାକରାରେ ଛାତ୍ରଙ୍କ ପରିବାର ଲୋକେ ଅପରେସନ ଥିଏଟରକୁ ଯାଇଥିଲେ । କିନ୍ତୁ ପୁଅର ବ୍ୟାଣ୍ଡେଜ ହୋଇଥିବା ସ୍ଥାନଟି ସମ୍ପୂର୍ଣ ପଚି ଯାଇଥିବା ଡ଼ାକ୍ତର ପରିବାର ଲୋକଙ୍କୁ ଡ଼ାକି କହିବା ସହ ଦେଖାଇ ଥିଲେ । ଚିକିତ୍ସା କରୁଥିବା ଡାକ୍ତର ଏମ୍ ମନୋଜ ପୁଅକୁ ବଡ଼ ମେଡିକାଲ କିମ୍ବା ଏକ ଘରୋଇ ହସ୍ପିଟାଲକୁ ନେବା ପାଇଁ କହିଥିଲେ । କିନ୍ତୁ ଅନ୍ୟ ମେଡିକାଲକୁ ନେବା ପାଇଁ ନର୍ସିଂହୋମକୁ ଡିଶ୍ଚାର୍ଜ୍ ରିପୋର୍ଟ ନଦେବାରୁ ପରିବାର ଲୋକେ ପ୍ରବଳ ପ୍ରତିବାଦ କରିବା ପରେ ନର୍ସିଂହୋମ ୧୮ ତାରିଖ ଜୁନ ରାତି ୧.୩୦ରେ ରାତାରାତି ପରିବାର ଲୋକେ ପୁଅକୁ ନେଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ପରୀକ୍ଷା ପରେ ଭଦ୍ରକ ଡ଼ାକ୍ତର ଏମ ମନୋଜ ପ୍ରଥମେ ଭୁଲ ଚିକିତ୍ସା କରିଛନ୍ତି ବୋଲି କହିବା ସହ ହାତର ସ୍ନାୟୁ ସବୁ ନଷ୍ଟ ହୋଇଯାଇଛି । ଯାହାଲାଗି ହାତଟି ସମ୍ପୂର୍ଣ୍ଣ ପଚି ଯାଇଛି ବୋଲି କହିଥିଲେ । ଏ କ୍ଷେତ୍ରରେ ହାତ କାଟିବା ଛଡ଼ା ଅଲଗା କିଛି ବିକଳ୍ପ ନାହିଁ ବୋଲି ଭୁବନେଶ୍ୱର ଘରୋଇ ଡ଼ାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ତେଣୁ ବାଧ୍ୟ ହୋଇ ୨୧ ମେରେ ଅପରେସନ କରି ବାମ ହାତ କହୁଣି ଠାରୁ ଭୁବନେଶ୍ୱର ଡ଼ାକ୍ତର କାଟି ଦେଇଥିଲେ । ତେଣୁ ଡାକ୍ତର ଏମ୍ ମନୋଜଙ୍କ ତ୍ରୁଟିପୂର୍ଣ୍ଣ ଓ ଖାମଖିଆଲି ମନୋଭାବ ପାଇଁ ତାଙ୍କ ପୁଅର ହାତ ହରାଇଥିବା ନେଇ ରୋଗୀଙ୍କ ବାପା ଭଦ୍ରକ ଟାଉନଥାନାରେ ଲିଖିତ ଏତଲା ଦେଇଛନ୍ତି । ତେଣୁ ଡାକ୍ତର ଏମ୍ ମନୋଜଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି ନାବାଳକର ପରିବାର ଲୋକ । ତେବେ ଘଟଣାକୁ ନେଇ ସମସ୍ତେ ଦୋଷ ଝାଡୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମାନେ ମଧ୍ୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଉନଥିବା ଘଟଣାକୁ ଅଧିକ ରହସ୍ୟବୃତ୍ କରିଛି । କିନ୍ତୁ ଡକ୍ଟର ଏମ୍ ମନୋଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ଆମେ ଭଦ୍ରକ ଘରୋଇ କ୍ଲିନିକ ଏବଂ ଘରୋଇ ନର୍ସିଂହୋମରେ ସବୁ ପ୍ରକାର ଚିକିତ୍ସା ଦିଆଯାଇଛି । ସବୁ ଚିକିତ୍ସା ଓ ମେଡିକାଲ ଚିକିତ୍ସା ବିଷୟରେ ପରିବାର ଲୋକେ ଅବଗତ ହୋଇନାହାନ୍ତି । ତେଣୁ ସେମାନେ ଥାନାରେ ଏତଲା ଦେଇଛନ୍ତି । ଚିକିତ୍ସା ଭୁଲ ହୋଇନାହିଁ ବୋଲି ଡାକ୍ତର ଏମ୍ ମନୋଜ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ କାହା ଭୁଲ ପାଇଁ ମେଧାବୀ ନାବାଳକ ଛାତ୍ରର ବାମ ହାତ କଟିଲା ତାହା ତଦନ୍ତ ହେବା ନିହାତି ଦରକାର । ଏବଂ ତଦନ୍ତରେ ପ୍ରମାଣ ମିଳୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ସାଧାରଣରେ ଦାବୀ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ