ସମ୍ବଲପୁର, ୨୯ ଜୁଲାଇ(ହି.ସ.) – କ୍ରିକେଟ ଖେଳିବା ବେଳେ ଅଘଟଣ। ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ର ଜଣଙ୍କ୧୮ ବର୍ଷିୟ ଉତ୍କର୍ଷ ସିଂ ଚୌହାନ ବୋଲି ଜଣାପଡିଛି। ସମ୍ବଲପୁର ରେଲୱେ କ୍ରିକେଟ ଷ୍ଟାଡ଼ିୟମରେ ଏହି ଅଘଟଣ ଘଟିଛି। ରେଲୱେ କ୍ରିକେଟ ଷ୍ଟାଡ଼ିୟମରେ ସାଙ୍ଗମାନଙ୍କ ଗହଣରେ ଉତ୍କର୍ଷ କ୍ରିକେଟ ଖେଳୁଥିବା ସମୟରେ ଏକ ଫୁଲଟସ ବଲ ସିଧାସଳଖ ଆସି ତାଙ୍କ ଛାତିରେ ବାଜିଥିଲା। ଘଟଣା ସ୍ଥଳରେ ଉତ୍କର୍ଷ ଗଳି ପଡ଼ିବାରୁ ତୁରନ୍ତ ତାଙ୍କୁ ଭୀମସାରକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ ଉତ୍କର୍ଷଙ୍କ ଘର ଶାସନ ଥାନାଂଚଳ ମାଝିପାଲିରେ। ପ୍ରତିଦିନ ସେ ଏଠାକୁ ଆସି କ୍ରିକେଟ ଅଭ୍ୟାସ କରିଥାନ୍ତି। ମଙ୍ଗଳବାର ସକାଳେ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଏପରି ଅଘଟଣା ଘଟିଥିଲା। କ୍ଷେତରାଜପୁର ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ