ଭୋପାଳ, 30 ଜୁଲାଇ (ହି.ସ.)
- ମଧ୍ୟପ୍ରଦେଶରେ ଲଘୁଚାପ କ୍ଷେତ୍ର ଓ ଦୁଇଟି ଟ୍ରଫ୍ ଲାଇନ୍ର ସକ୍ରିୟତା କାରଣରୁ ପ୍ରବଳ
ବର୍ଷା ଜାରି ରହିଛି। ମଙ୍ଗଳବାର ଅଶୋକନଗର, ଶ୍ୟୋପୁର, ବିଦିଶା ସହିତ ଅନେକ
ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି। ରାସ୍ତା ଉପରେ ପାଣି ଭରିଯାଇଛି ଓ ଅନେକ ରାସ୍ତା
ବନ୍ଦ ହୋଇଯାଇଛି। ପରିସ୍ଥିତିକୁ ଦେଖି ବୁଧବାର ଭୋପାଳ, ନର୍ମଦାପୁରମ୍, ସୀହୋର୍ ଓ
ଅଶୋକନଗରରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ବର୍ଷା କାରଣରୁ ଗୁନା ଜିଲ୍ଲାରେ ପରିସ୍ଥିତି ଏତେ ଖରାପ ଯେ, ଉଦ୍ଧାର କାମ ପାଇଁ ସେନାକୁ ଡକାଯାଇଛି। ଏଠାର ଥିବା ବମୋରି ଅଞ୍ଚଳର
କଲୋରା ଗାଁରେ ଡ୍ୟାମ୍ର ୱେଷ୍ଟ ୱିୟାର୍ ଭାଙ୍ଗିଯାଇଥିଲା, ଫଳରେ ଡ୍ୟାମ୍ ଓଭରଫ୍ଲୋ ହୋଇ ଆଖପାଖର ଗାଁଗୁଡ଼ିକରେ ପାଣି ଭରିଛି । ସେନା ଓ ପ୍ରଶାସନର
ସଂଯୁକ୍ତ ଦଳ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାମ ଆରମ୍ଭ କରାଯାଇଛି। ଅନେକ ତଳ ଅଞ୍ଚଳର
ବସ୍ତିରେ ପ୍ରାୟ ଚାରି ଫୁଟ୍ ପର୍ଯ୍ୟନ୍ତ ପାଣି ଭରିଯାଇଛି। ଏଠାରେ ଚଚୋଡ଼ା ଅଞ୍ଚଳରେ ସବୁଠାରୁ
ଅଧିକ ବର୍ଷା ହୋଇଛି।
ମ୍ୟାନା ରେଲୱେ ଅଣ୍ଡର ବ୍ରିଜ୍ ଉପରେ ବୁଧବାର ମଧ୍ୟ ପାଣି ଭରିଥିଲା, ଯାହାର ଫଳରେ ଗୁନା-ଅଶୋକନଗର ରାସ୍ତା ବନ୍ଦ ହୋଇଯାଇଛି। ଭିଣ୍ଡ
ଜିଲ୍ଲାରେ ଲଗାତାର ବଢ଼ୁଥିବା ଜଳସ୍ତର କାରଣରୁ ସିନ୍ଧ, କ୍ୱାରି ଓ ଚମ୍ବଳ ନଦୀ ବୁଧବାର ମଧ୍ୟ ବିପଦସଙ୍କେତରେ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା