ସମ୍ବଲପୁର, ୩୧ ଜୁଲାଇ (ହି.ସ.)- ଗୁରୁବାର ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସକାଳ ସାଢ଼େ ୯ଟା ସୁଦ୍ଧା ୪ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ଏବେ ୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୫ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୧୦.୩୫ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୪ ହଜାର ୨୮୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ୮ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୭୭୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ଉପର ମୁଣ୍ଡରେ ୨.୧୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୦.୪୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ପ୍ରକାଶ ଥାଉକି, ଜୁଲାଇ ୬ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଛଡାଯାଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ବିଶେଷ କରି ଉପର ମୁଣ୍ଡର ପାଣି ଉପରେ ନିର୍ଭର କରି ହୀରାକୁଦର ସ୍ଲୁଇସ୍ ଗେଟ୍ ଖୋଲା ବନ୍ଦରେ ପରିବର୍ତନ ହୋଇଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ