ଭୁବନେଶ୍ୱର/କୋରାପୁଟ, 05 ଜୁଲାଇ (ହି.ସ.) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି କୋରାପୁଟ ସୁନାବେଡା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ରେ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ୪୭୯.୯୨ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପଗୁଡ଼ିକ ପାଇଁ ଭୂମିପୂଜନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ଭୂମିପୂଜନ ହେବାକୁ ଥିବା ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବହୁମୁଖୀ ଏକାଡେମିକ ବିଲଡିଂ, ଅତ୍ୟାଧୁନିକ ଛାତ୍ରାବାସ, ଅତ୍ୟାଧୁନିକ ଅଡିଟୋରିୟମ୍, ଜିମ, ଇନଡୋର ସ୍ପୋର୍ଟ୍ସ କମ୍ପଲେକ୍ସ, ଷ୍ଟୁଡେଣ୍ଟ୍ କାଫେଟେରିଆ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିଥି ଭବନ । ସେହିପରି ଶ୍ରୀ ପ୍ରଧାନ ଏହି ବିଶ୍ୱବିଦ୍ୟାଳୟରେ ନୂତନ ଭାବରେ ଶେଷ ହୋଇଥିବା ଅନ୍ୟ ପ୍ରକଳ୍ପ ଯଥା ଏକାଡେମିକ୍ ବିଲଡିଂ, କୁଳପତିଙ୍କ ବାସଭବନ, ଅଧିକାରୀ ଏବଂ କର୍ମଚାରୀ ବାସଗୃହର ଲୋକାର୍ପଣ କରିବେ ।
ଏହି ଶୁଭ ଅବସରରେ ଓଡ଼ିଶାର ୬ଟି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହେବ । ଏହି ଅନୁଷ୍ଠାନ ଗୁଡ଼ିକ ହେଉଛି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ(ଆଇଆଇଟି), ଭୁବନେଶ୍ୱର ; ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନଆଇଟି) ରାଉରକେଲା ; ଇଣ୍ଡିଆନ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁସନ (ଆଇଆଇଏମ) ସମ୍ବଲପୁର ; ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର), ବ୍ରହ୍ମପୁର ଏବଂ ଶ୍ରୀସଦାଶିବ କ୍ୟାମ୍ପସ(କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ), ପୁରୀ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ରଣନୈତିକ ସହଭାଗୀତା ଜାତୀୟ ଶିକ୍ଷା ନୀତି -୨୦୨୦ର ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ପଦକ୍ଷେପ । ବହୁମୁଖୀ ଶିକ୍ଷାକୁ ଗତିଦେବା, ଗବେଷଣା ସହଯୋଗ, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ମାଧ୍ୟମରେ କ୍ରେଡିଟ୍ ସ୍ଥାନାନ୍ତର, ଯୁଗ୍ମ ଡିଗ୍ରୀ କାର୍ଯ୍ୟକ୍ରମ ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀର ପ୍ରୋତ୍ସାହନକୁ ପ୍ରୋତ୍ସାହନ ଆଗେଇ ନେବା ଦିଗରେ ଏହା ସହାୟକ ହେବ । ଏମଓୟୁ ହୋଇଥିବା ଅନୁଷ୍ଠାନଗୁଡ଼ିକ ମିଳିତ ଭାବରେ ଜନଜାତି ସମୁଦାୟକୁ ସଶକ୍ତ କରିବା, ସ୍ଥାୟୀ ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ନବସୃଜନ ଏବଂ ଉଦ୍ୟମିତାକୁ ସମର୍ଥନ କରିବା ଏବଂ ଶୈକ୍ଷିକ ଏବଂ ଗବେଷଣା ଭିତ୍ତିଭୂମିର ଆଦାନପ୍ରଦାନ ପାଇଁ ବିହିତ ପଦକ୍ଷେପ ନେବେ । ଏହି କାମର ସଠିକ୍ କ୍ରିୟାନ୍ୱୟନ ଓ ଅନୁଧ୍ୟାନ ପାଇଁ ପ୍ରତ୍ୟେକ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରତିନିଧିମାନଙ୍କୁ ନେଇ ଏକ ଯୁଗ୍ମ ସମନ୍ୱୟ କମିଟି (ଜେସିସି) ଗଠନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଏବଂ ଏହି ଅଞ୍ଚଳର ବିଧାନସଭା ସଦସ୍ୟଗଣ, ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶ୍ରୀ ବିନୀତ ଯୋଶୀ, ଉପରୋକ୍ତ ଉଚ୍ଚଶିକ୍ଷାନୁଷ୍ଠାନର କୁଳପତି, ନିର୍ଦ୍ଦେଶକ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ