ପୂର୍ବାଂଚଳ ବୈଠକରେ ମହାନଦୀ-କୋଟିଆ ଓ ଦୀଘା ପ୍ରସଙ୍ଗର ସମାଧାନ ଦାବି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଶା ଅସ୍ମିତା ପରିଷଦ ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ଆସନ୍ତା ୧୦ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡଠାରେ ପୂର୍ବାଂଚଳ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ
ପୂର୍ବାଂଚଳ ବୈଠକରେ ମହାନଦୀ-କୋଟିଆ ଓ ଦୀଘା ପ୍ରସଙ୍ଗର ସମାଧାନ ଦାବି


ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଶା ଅସ୍ମିତା ପରିଷଦ

ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ଆସନ୍ତା ୧୦ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡଠାରେ ପୂର୍ବାଂଚଳ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ବିବାଦ ପ୍ରସଙ୍ଗରେ ଆଲୋଚନା କରାଯାଇ ସମାଧାନର ରାସ୍ତା ବାହାରିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଯୋଗଦେବାକୁ ଯାଉଛନ୍ତି । ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ବୈଠକରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏକ ପତ୍ର ଲେଖାଯାଇଛି ।

ପରିଷଦର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠିରେ ଦର୍ଶାଇଛନ୍ତି ଯେ, ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀର ପାଣିକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । ଅଣମୌସୁମୀ ଋତୁରେ ମହାନଦୀ ଶୁଖିଲା ପଡ଼ିଥିଲା ବେଳେ ବର୍ଷାଦିନେ ମହାନଦୀରେ ବନ୍ୟା ଆସିଛି । କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଜରିଆରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନଦୀ ଜଳ ବିବାଦର ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ବେହେରା ଏହି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିବାକୁ ଦାବି କରିଛନ୍ତି । ସେହିଭଳି ଆନ୍ଧ୍ର ସହିତ ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ଲାଗିରହିଛି । କୋଟିଆ ବିବାଦର ସମାଧାନ କରିବା ପାଇଁ ଏହି ବୈଠକରେ ଉଦ୍ୟମ କରାଯିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଝାଡଖଣ୍ଡଠାରେ ବୈଠକ ଅନୁଷ୍ଠିତ ହେଉଥିବା ଯୋଗୁଁ ଶଙ୍ଖ ଓ କୋଏଲ୍ ନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଝାଡ଼ଖଣ୍ଡ ଆପୋଷ ଆଲୋଚନା ମାଧ୍ୟମରେ ଉଦ୍ୟମ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ସେହିପରି ଝାଡ଼ଖଣ୍ଡରୁ ବାହାରିଥିବା ସୁବର୍ଣ୍ଣରେଖାର ଜଳ ବିବାଦ। ଏହି କିଛିଦିନ ତଳେ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ହଠାତ୍ ପାଣି ଛଡ଼ାଯିବା ଯୋଗୁଁ ଆମର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଦେଖାଦେଲା । ଶହଶହ ଲୋକ ବାସହରା ହେଲେ, ହଜାର ହଜାର ହେକ୍ଟର ଜମିରେ ପନିପରିବା ନଷ୍ଟହେଲା ଓ ଶହ ଶହ ଘର ଭାଙ୍ଗିଗଲା । ଏଣୁ ସୁବର୍ଣ୍ଣରେଖା ଜଳ ପରିଚାଳନା ସମସ୍ୟାର ଆପୋଷ ସମାଧାନ ପାଇଁ ଏହି ବୈଠକରେ ଉଦ୍ୟମ ହେବା ଉଚିତ୍ ବୋଲି ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ସର୍ବୋପରି ପଶ୍ଚିମବଙ୍ଗଳାର ଶଙ୍ଖନଦୀ ଗ୍ରାମକୁ ନେଇ ଓଡ଼ିଶା ପଶ୍ଚିମବଙ୍ଗଳା ବିବାଦ ସହ ଦୀଘା ଜଗନ୍ନାଥ ଧାମ” ବିବାଦ ରହିଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ସ୍ୱାଭିମାନ ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହି ବିବାଦର ସମାଧାନ କରିବାକୁ ଏହି ବୈଠକରେ ନିଷ୍ପତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande