ଗଂଜାମ, ୩ ଅଗଷ୍ଟ (ହି.ସ.)- ବିହାରରେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସାମ୍ବାଦିକମାନଙ୍କର ମାସିକ ପେନସନ 15 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ବିହାରରେ ଅଧସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନେ ଏବେ ମାସିକ 6 ହଜାର ଟଙ୍କା ପେନସନ ପାଉଛନ୍ତି । ତେବେ ବର୍ଦ୍ଧିତ ପେନସନ ତୁରନ୍ତ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ପରିବାର ପେନସନ ବା ସାମ୍ବାଦିକଙ୍କ ମୃତ୍ୟୁ ପରେ ପତ୍ନୀ ଅବା ପତି ମାସିକ 3 ହଜାର ଟଙ୍କା ପାଉଥିବା ବେଳେ ଏହାକୁ 10 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ବିହାର ସରକାର ସାମ୍ବାଦିକମାନଙ୍କ ଲାଗି ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ପତ୍ରକାର ବା ସାମ୍ବାଦିକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରନ୍ତି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଥାଏ। ସାମ୍ବାଦିକମାନଙ୍କ ସୁବିଧା ଲାଗି ସରକାର ଆରମ୍ଭରୁ ଧ୍ୟାନ ରଖୁଛନ୍ତି। ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷ ଭାବରେ ନିଜର ସାମ୍ବାଦିକତା କରିବା ଏବଂ ଅବସର ପରେ କିଭଳି ସୁସ୍ଥ ଜୀବନଯାପନ କରିବେ ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।
ଉଲ୍ଲେଖ ଥାଉକି, କେବଳ ବିହାର ନୁହେଁ, ପଶ୍ଚିମବଙ୍ଗ, ତାମିଲନାଡୁ, ହରିଆନା ଓ ଆସାମ ସମେତ ଭାରତର 18ଟି ରାଜ୍ୟରେ ସରକାର ସାମ୍ବାଦିକମାନଙ୍କୁ ମାସିକ ପେନସନ ପ୍ରଦାନ କରୁଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ସରକାର 2018 ମସିହାରୁ ସାମ୍ବାଦିକମାନଙ୍କ ଲାଗି ପଶ୍ଚିମବଙ୍ଗ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅବସର ପରେ ସାମ୍ବାଦିକଙ୍କୁ ମାସିକ 2 ହଜାର 5ଶହ ଟଙ୍କା ପେନସନ ଦିଆଯାଉଛି । ତାମିଲନାଡୁରେ ସେହିଭଳି ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୂନ ଡିଏମକେ ସରକାର ମାସିକ 4 ହଜାର ଟଙ୍କା ଲେଖାଏଁ ପେନସନ ସାମ୍ବାଦିକମାନଙ୍କୁ ପ୍ରଦାନ କରୁଛନ୍ତି। 58 ବର୍ଷ ବୟସ ପରେ ସାମ୍ବାଦିକମାନେ ଏହି ପେନସନ ପାଉଛନ୍ତି । ହରିଆନାରେ ବିଜେପି ସରକାର ଅଧିସ୍ବୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ 10 ହଜାର ଟଙ୍କା ପେନସନ ପ୍ରଦାନ କରୁଛନ୍ତି। 60 ବର୍ଷ ବୟସରେ ଅବସର ପରେ ଏହି ପେନସନ ଦିଆଯାଉଛି। ଆସାମରେ ବିଜେପି ସରକାର ସେହିଭଳି ମାସିକ 8 ହଜାର ଟଙ୍କା ସାମ୍ବାଦିକ ପେନସନ ପ୍ରଦାନ କରୁଛନ୍ତି। 2016 ଜାନୁଆରୀ 1ରୁ ଆସାମରେ ଏହା କାର୍ଯ୍ୟକାରୀ କରାଯାଇଛି। ଦୈନିକ, ପାକ୍ଷିକ, ସାପ୍ତାହିକ, ମାସିକ, ସାଂଧ୍ୟ ଖବରକାଗଜ ସହିତ ବିଭିନ୍ନ ଖବର ସରବରାହ ସଂସ୍ଥା, ରେଡିଓ ଷ୍ଟେସନ ଏବଂ ବିଭିନ୍ନ ନ୍ୟୁଜ ଚାନେଲର ସାମ୍ବାଦିକମାନଙ୍କୁ ଏହି ପେନସନ ପ୍ରଦାନ କରାଯାଉଛି। ବିହାର ସରକାରଙ୍କର ସାମ୍ବାଦିକ ପେନସନ ଯୋଜନାରେ ପରିମାଣ ବୃଦ୍ଧି ପରେ ଓଡ଼ିଶାରେ ସାମ୍ବାଦିକ ପେନସନ ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ ଦାବି ପୁଣି ଜୋରଦାର ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ନିକଟରେ ସାମ୍ବାଦିକମାନେ ଏହି ଦାବି ଉପସ୍ଥାପନ କରିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇପାରେ 1980 ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ଵରେ ଗଠିତ କଂଗ୍ରେସ ସରକାର ବେଳେ ସାମ୍ୱାଦିକ ପେନସନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । କାରଣ ଜାନକୀ ବାବୁ 14 ବର୍ଷ ପ୍ରଜାତନ୍ତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରି ସାମ୍ୱାଦିକମାନଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ଅବଗତ ଥିଲେ । ସେହିଦିନ ଠାରୁ 45 ବର୍ଷ ଧରି ବିଭିନ୍ନ ସମୟରେ ବିଭିନ୍ନ ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କୁ ପେନସନ ସମ୍ପର୍କରେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି, କିନ୍ତୁ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ସ୍ମରଣ କରାଯାଇପାରେ ବିଜେପି ସରକାର 2024 ନିର୍ବାଚନ ପୂର୍ବରୁ ସାମ୍ୱାଦିକମାନଙ୍କ ପେନସନ ସୁରକ୍ଷା ଭଳି ମୌଳିକ ସମସ୍ୟା ସମାଧାନ କରିବେ ବୋଲି ବାରମ୍ୱାର କହି ଆସୁଥିଲେ । ବର୍ତ୍ତମାନ ସରକାରରେ ରହିବା ପରେ କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କାର୍ଯ୍ୟକାଳରେ ପ୍ରସ୍ତାବକୁ ନେଇ ସରକାର ସମ୍ମତି ଦେଇଥିଲା ବେଳେ 2004ରେ ନବୀନ ପଟ୍ଟନାୟକଙ୍କ ସରକାରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ସେହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ସୁପାରିଶ କରିଥିଲା। କିନ୍ତୁ, ତାହା ସରକାରୀ ନାଲିଫିତା ତଳେ ଅଟକିଗଲା । ପରବର୍ତୀ ସମୟରେ ତତ୍କାଳୀନ ବିଜେଡି ସରକାରକୁ ବା ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ବାରମ୍ବାର ଏନେଇ ଦାବିପତ୍ର ଦେଇଥିଲେ। 2013 ମସିହାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ବାରା ପେନସନ ଯୋଜନା ପାଇଁ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ସାମ୍ବାଦିକ ପ୍ରତିନିଧିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା ଏବଂ କମିଟି ଗଠନ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତୁରନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂପର୍କରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାହା ମଧ୍ୟ ନାଲିଫିତା ତଳେ ରହିଗଲା। 2014ରେ ନିର୍ବାଚନ ସମୟରେ ଓଡ଼ିଶା ସରକାର ଯଥାଶୀଘ୍ର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 2019 ନିର୍ବାଚନ ସମୟରେ ମଧ୍ୟ ସେହି ପ୍ରତିଶ୍ରୁତି ଦିଆଯାଇଥିଲା। 2024ରେ ବିରୋଧୀ ଦଳରେ ଥିବା ବିଜେପି ସାମ୍ବାଦିକ ପେନସନ ଲାଗି ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ହୋଇ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କଲା ପରେ ପ୍ରତିଶ୍ରୁତି ଅନୁଯାୟୀ ସାମ୍ବାଦିକ ପେନସନ ଯୋଜନା ଲାଗୁ ହେବ ବୋଲି ଆଶା ଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାରମ୍ବାର ଏନେଇ ବିଭିନ୍ନ ସାମ୍ବାଦିକ ସଂଗଠନ ତଥା ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକମାନେ ଅବଗତ କରିଛନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ସରକାରଙ୍କ ବର୍ଷ ପୂର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଖବରକାଗଜର ସଂପାଦକ ଓ ବରିଷ୍ଠ ସାମ୍ବାଦିକଙ୍କୁ ଡାକି ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉଠିଥିଲା ଏବଂ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏବେ ସମସ୍ତଙ୍କର ଅପେକ୍ଷା କେବେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେଉଛନ୍ତି।
ପ୍ରକାଶ ଥାଉକି, 2013 ଆନ୍ଦୋଳନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କର ମୁଖ୍ୟ ଦୁଇଟି ଦାବି ମଧ୍ୟରୁ ଗୋଟିଏ ପୂରଣ କରିଥିଲେ । ତାହା ଥିଲା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ ବୀମା ଭୁକ୍ତ କରାଇବା । ସେଥିଲାଗି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଇଥିଲା । ତାହା ଏବେ ବଳବତ୍ତର ରହିଛି । ତେବେ ପେନସନ ଦାବିଟିକୁ ପରବର୍ତୀ ସମୟରେ ପୂରଣ କରାଯିବ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ। ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ତୁରନ୍ତ ଓଡିଶାରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ଯବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ