କେନ୍ଦ୍ରାପଡା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ସମୃଦ୍ଧ ଜୀବନ ନାମକ ଜମାକାରୀ ସଂସ୍ଥା କାର୍ଯ୍ୟାଳୟ ଖୋଲି ଆର୍ଥିକ ଦୁର୍ବଳ ବ୍ୟକ୍ତିମାନଙ୍କୁ ଅଧିକ ସୁଧ ମିଳିବା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରିଥିଲା । ଏବେ ସେହି ସଂସ୍ଥା କାର୍ଯ୍ୟାଳୟରେ ତାଲା ପକାଇ ଫେରାର୍ ହୋଇଯାଇଥିବା ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଏହି ସମୃଦ୍ଧ ଜୀବନ ଚିଟ୍ଫଣ୍ଡ ସଂସ୍ଥା କାର୍ଯ୍ୟାଳୟ ଖୋଲି ସାଧାରଣ ଲୋକଙ୍କଠାରୁ ବହୁ ଅର୍ଥ ଆଦାୟ କରି କାରବାର କରୁଥିଲା । ତେବେ ଏହାର ନାମ ସରକାରୀ ସ୍ତରରେ ଠକ ଚିଟ୍ଫଣ୍ଡ ସଂସ୍ଥା ତାଲିକାରେ ବାହାରିବାରୁ ହଠାତ୍ ପଟ୍ଟାମୁଣ୍ଡାଇରେ ଥିବା କାର୍ଯ୍ୟାଳୟରେ ତାଲା ପକାଇ ସଂସ୍ଥା ଉଭାନ୍ ହୋଇଯାଇଛି । ଏବେ ଜମା ଦେଇଥିବା ଲୋକମାନେ ସେମାନଙ୍କ ଟଙ୍କା ଫେରି ପାଇବା ପାଇଁ କୈାଣସି ବାଟ ନଥିବାରୁ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଜମା ଟଙ୍କା କିପରି ଫେରିପାଇବେ ଏ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଖଗେଶ୍ୱର ସାହୁ, ସର୍ବେଶ୍ୱର ବରାଳ, ଅକ୍ଷୟ କୁମାର ବଳ, ଗଗନ ବିହାରୀ ବେହେରା, ମରୁତ କୁମାର ସ୍ୱାଇଁ, ଅନନ୍ତ କିଶୋର ବାରିକ ପ୍ରମୁଖଙ୍କ ସମେତ ଶତାଧିକ ଜମାକାରୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଜମା ଟଙ୍କା ଫେରସ୍ତ ପାଇବା ପାଇଁ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି