ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ପ୍ରଥମ ଥର ପାଇଁ ଓଡ଼ିଶାରେ ବହୁଥିବା ନଦୀରେ ବିକାଶ ପାଇଁ ପ୍ଲାନ। ମହାନଦୀରୁ କାର୍ଯ୍ୟ ଆରମ୍ଭ ହେବ । ମହାନଦୀ ନଦୀ ତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା,ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସେ କହିଛନ୍ତି ୨ ଟି ସ୍ଥାନ ରେ ନଦୀ ତଟର ବିକାଶ କରାଯିବ। ପ୍ରଥମଟି ହେଉଛି ସମ୍ବଲପୁରର ମନ୍ଦଲିଆରୁ ଚଉଁରପୁର ପର୍ଯ୍ୟନ୍ତ ମହାନଦୀରେ ନଦୀକୂଳ ବିକାଶ। ଏଥିରେ ପାର୍କିଂ ସ୍ଥାନ, ଜଗିଙ୍ଗ୍ ପାର୍କ, ସେଲ୍ଫି ପଏଂଟ, ପାର୍କ, ଖୋଲା ଜିମ୍, ଘାଟର ଉନ୍ନତି କରଣ, ସ୍ନାନ ଘାଟ ନିର୍ମାଣ, ଆରତୀ ଘାଟ, ଥିମ୍ ପ୍ଲାଜା, ସପିଂ କମ୍ପେ୍ଲକ୍ସ, ଶୌଚାଳୟ ଆଦିର ବିକାଶ କରାଯିବ। ଏଥିପାଇଁ ୧୬୦ କୋଟି ଟଙ୍କା ବିନିଯୋଗ ହେବ। ଦ୍ୱିତୀୟଟି ହେଉଛି, ଭୁବନେଶ୍ୱର ପାଣ୍ଡରା ନିକଟ କୂଆଖାଇ ଓ କୁଶଭଦ୍ରା ନଦୀରେ ନଦୀତଟ ବିକାଶ। ଏଥିରେ ସୁରକ୍ଷା କାର୍ଯ୍ୟ ସହିତ ନଦୀକୂଳ ଘାଟର ବିକାଶ, ରିଙ୍ଗ୍ ରୋଡ ସହିତ ଦୃଶ୍ୟ ପଏଂଟ ବିକାଶ, ଭାସମାନ ଜେଟି, ଲକ୍ଗେଟ୍, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ କୋଟି ଟଙ୍କା ବିନିଯୋଗ କରାଯିବ। ଓଡିଶାର ଜୀବନରେଖା ମହାନଦୀକୁ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ ।ଯୋଜନା କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା