କନ୍ଧମାଳ, ୧୩ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତରେ ଥିବା ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେଭିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ କାର୍ଯ୍ୟରେ ଅବହେଳା, ବିଦ୍ୟାଳୟରେ ରହୁ ନଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ସମୟରେ ସମସ୍ତେ ଖାଇ ସାରି ଶୋଇଥିବା ବେଳେ କିଛି ସହପାଠୀ ଛାତ୍ର ୪ର୍ଥ ଓ ୫ମ ଶ୍ରେଣୀରେ ପଢ଼ୁଥିବା ୮ ଜଣ ଛାତ୍ରଙ୍କ ଆଖିରେ ଫେଭିକୁଇକ ଲଗାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଥିଲା। ତନ୍ମଧ୍ୟରୁ ଜଣକର ଅବସ୍ଥା ଭଲ ନଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ