କୋଲକାତା, ୨୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମବଙ୍ଗ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମିଳିତ ସମନ୍ୱୟ ବୈଠକ ମାତ୍ର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି । ବୈଠକରେ ସାମିଲ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ୨୦୨୬ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ସୁଦୃଢ଼ କରିବା ଏବଂ ପ୍ରଚାର ଯୋଜନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ବୁଧବାର ରାତିରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ବୈଠକରେ ବିଜେପିର କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱ ସହିତ ଆରଏସଏସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ. ସନ୍ତୋଷ ରାଜ୍ୟ ଦଳ ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଲୋଚନାର ନେତୃତ୍ୱ ନେଇଥିଲେ ।
ବୈଠକରେ ବିଜେପି ସଂଗଠନକୁ ମଜବୁତ କରିବା, ଜନସମ୍ପର୍କ ବୃଦ୍ଧି କରିବା ଏବଂ ୨୦୨୧ ନିର୍ବାଚନରୁ ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା । ବୈଠକରେ ଯୋଗ ଦେଇଥିବା ସଂଘର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି ଯେ, ଆରଏସଏସର ଶତବାର୍ଷିକୀ ପାଳନ (ଅକ୍ଟୋବର ୨ରେ ବିଜୟାଦଶମୀ) ଏବଂ ରାଜନୈତିକ ରୂପେ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକ ଯେପରିକି ସିଏଏ ଏବଂ ଏସଆଇଆର ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ