ବଲାଙ୍ଗିର , 24 ସେପ୍ଟେମ୍ବର (ହି.ସ.)
ପ୍ରତ୍ୟେକ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ବର୍ଷକୁ ଥରେ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରିବା ସହ ଏଥିରେ ଶିକ୍ଷା ବିଭାଗର ପଦାଧିକାରୀ ଓ ସମାଜର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସ୍କୁଲ ସହ ଜୋଡିବା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶ ରହିଛି । ଏହିକ୍ରମରେ ଆଜି ବଲାଙ୍ଗୀର ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ମଧ୍ୟ ସ୍କୁଲରେ ଅଧ୍ୟୟନରତ ଛାତ୍ରୀ ଓ ଶିକ୍ଷା ବିଭାଗର କର୍ମଚାରୀ ମାନଙ୍କୁ ନେଇ ଏକ ତିଥି ଭୋଜନ ପରି ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ସମାବେଶ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ
ଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ନିର୍ଦ୍ଦେଶରେ ତଥା ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ସାମୁହିିକ ଭାବରେ ଛାତ୍ରୀ ମାନଙ୍କ ସହ ମିଶି ଭୋଜନ କରିବାର ବ୍ୟବସ୍ଥା ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସଂପର୍କକୁ ଆହୁରି ନିକଟତର କରିଥିଲା । ଏହି ତିଥି ଭୋଜନରେ ସ୍କୁଲ ଆଲୁମିନି ଏସୋସିଏସନ୍ ର ସଭାପତି ଆନନ୍ଦିନୀ ଦର୍ଜି, ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ଟାଉନ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଆର୍ଯ୍ୟବାଳା ମିଶ୍ର, ସିଆର୍ସିସି ବିଜୟିନୀ ଦାନୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ସାହୁ, ଏଡିଇଓ ପ୍ରବୀର କୁମାରପଣ୍ଡା, ରୀନା କୁମାରୀ ବେହେରା ସେବାଶ୍ରୀ ଭୋଇ, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶି, ଏବିଇଓ ସଂଧ୍ୟା ଧରୁଆ, ସ୍କୁଲ ମେନେଜମେଂଟ କମିଟି ଚ୍ୟାରମେନ୍ ସଂଧ୍ୟା ବିଶୋଇ, ସିଏ ଶ୍ରୀକାନ୍ତ ଶର୍ମା, ସାମ୍ବାଦିକ ରଘୁ ନନ୍ଦନ ସିଂହ, ମହେନ୍ଦ୍ର ଦର୍ଜି ପ୍ରମୁଖ ଯୋଗ ଦେଇ ଭୋଜନ କରିବା ସହ ସ୍କୁଲ ପପରିଚାଳନା ସଂପର୍କରେ ତଥା ଆଗାମୀ ଦିନରେ ସ୍କୁଲର ଶୈକ୍ଷିକ ବାତାବରଣକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ ସେ ସଂପର୍କରେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ