
ଭୁବନେଶ୍ୱର,୨୨ ଜାନୁଆରୀ(ହି.ସ)-ବିଶେଷ ଲାୟର୍ ଆକୃତିର ଶିଙ୍ଗ। ଦୃଢ଼ ଓ ସନ୍ତୁଳିତ ଶରୀର । ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍ । “ସୱାଇ ଚାଲ୍” ବା ରାଜକୀୟ ଚାଲି ପାଇଁ ସାରା ବିଶ୍ୱରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି । ପ୍ରତିକୂଳ ପରିବେଶରେ ଖାପଖୁଆଇବାର ଦକ୍ଷତା ରଖୁଥିବା ଏହି ପ୍ରଜାତି ଉଚ୍ଚ ପ୍ରଜନନ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘ କାର୍ଯ୍ୟଜୀବନ ପାଇଁ ଗୋପାଳକ ଓ ପ୍ରାଣିପାଳକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଛି । ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି । ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଂଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଂଚ। ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ । ଖାଦ୍ୟ ବାବଦକୁ ମାସିକ ପ୍ରାୟ ୪୦,୦୦୦/- ଟଙ୍କା ଖର୍ଚ୍ଚ ହେଉଛି । ଗୁଜୁରାଟର କାଂକ୍ରେଜ୍ ଅଂଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି । ଭାରତୀୟ ଦେଶୀ ଗୋ ପ୍ରଜାତିମାନଙ୍କ ମଧ୍ୟରେ କାଙ୍କରେଜ ଷଣ୍ଢର ନିଆରା ସୁନାମ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା