




ସମ୍ବଲପୁର, ୦୩, ଜାନୁଆରି (ହି.ସ.) ଭଦ୍ରମୁଖା ଚୋର ଡକେଇତ, ମଦୁଆ ଓ ଜୁଆଡିଙ୍କ ଏବେ ରକ୍ଷା କବଚ ପାଲଟିଛି ହୋଟେଲ । ନୂଆବର୍ଷ ଅବସରରେ ସମାଜରେ ଅତି ଭଦ୍ର ଓ ସାଦାସିଧା ବିଶିଷ୍ଟ ବିରଳ ମଦୁଆଙ୍କ ଆସର ବିଭିନ୍ନ ହୋଟେଲରେ ଚାଲିଥିବା ବେଳେ ଆଜି କେତେକ ନିରୋଳା ଜୁଆଡିଙ୍କ ଆସରରେ ଚଢ଼ାଉ କରିଛି ଧନୁପାଲି ଥାନା ପୋଲିସ। ହୋଟେଲର କେତେକ ସୂତ୍ରଧର ପୋଲିସ ଆସିବାର ସୂଚନା ତୁରନ୍ତ ଜୁଆଡି ମାନଙ୍କୁ ଜଣାଇ ଦେଇଥିଲା । ଜୁଆଡି ମାନେ ଏଭଳି ସୂଚନା ପାଇବା ମାତ୍ରେ ନିଜର ଅବାରିତ ଆସର ପାଇଁ ପ୍ରସ୍ତୁତ ଲଞ୍ଚ, ଡିନରକୁ ଏଡାଇ ପ୍ରାଣମୂର୍ଚ୍ଚା ଉଦ୍ୟମ କରି ଆସରରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କା ଟଏଲେଟ୍ ଫ୍ଲସ ଠାରୁ ଆରମ୍ଭ କରି ଡବଲ ବେଡ଼ ଖଟର ଗଦି ତଳେ ଓ ଅନ୍ୟାନ୍ୟ ସ୍ଥାନରେ ଲୁଚାଇ ଦେଇଥିଲେ । ହେଲେ ଅପରାହ୍ନ ୩ ଟା ବେଳେ ଧନୁପାଲି ଥାନାରୁ ଯାଇଥିବା ସ୍ବତନ୍ତ୍ର ପୋଲିସ ସ୍ବାର୍ଡ ତନତନ କରି ହୋଟେଲ ଉପହାର ପ୍ଯାଲେସର ୧୦୫ ନମ୍ବର ରୁମକୁ ଛାନଭିନ୍ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲେ । ଏପରିକି ଟଏଲେଟ୍ ଫ୍ଲସରୁ ପୁଳାପୁଳା ଓଦା ଟଙ୍କା ଜବତ କରିବା ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତଚକିତ କରିଦେଇଥିଲା । ପୋଲିସ ସମସ୍ତ ବିଚକ୍ଷଣ ଜୁଆଡି ମାନଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ସେମାନଙ୍କ ଆତ୍ମସମ୍ମାନ ପାଇଁ ସେମାନଙ୍କ ପରିଚୟ ଗଣମାଧ୍ୟମକୁ ଦେଇନଥିଲା । ଉପହାର ପ୍ଯାଲେସରେ ଜୁଆ ଆସର ଚାଲିବା ଓ ସମସ୍ତ ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏହି ହୋଟେଲରୁ ଭଦ୍ର ମୁଖାଧାରୀ ଜୁଆଡି ଧରାପଡିଯିବା ଘଟଣା ଭିନ୍ନତା ସୃଷ୍ଟି କରିଛି । ତେବେ ଜବତ ଟଙ୍କାର ପରିମାଣ ୮ରୁ ୧୦ ଲକ୍ଷ ଆକଳନ କରାଯାଉଥିଲେ ମଧ୍ୟ ଗଣତି ସରିବା ପରେ ପୋଲିସ ସୂଚନା ଦେବ ବୋଲି କହିଛି । ଧନୁପାଲି ଥାନାରେ ଏସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ