
ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସ୍ଆଇଆର୍) ଉପରେ ରୋକ ଲଗାଇବା ଦାବିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ଜନ୍ତରମନ୍ତରରେ ପ୍ରସ୍ତାବିତ ପ୍ରଦର୍ଶନ ଦିଲ୍ଲୀ ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ହୋଇପାରିନାହିଁ। ପ୍ରଦର୍ଶନ ସ୍ଥଳକୁ ଯିବାକୁ ଉଦ୍ୟମ କରୁଥିବା ୩ ହଜାରରୁ ଅଧିକ ଲୋକଙ୍କୁ ପୁଲିସ ଅଟକ ରଖିଛି। ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ସିଜେପି ମୁଖ୍ୟ ଅଭିଜିତ ଦୀପକେ ଏବଂ ଚର୍ଚ୍ଚିତ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ସମେତ ବହୁ ବିରୋଧୀ ନେତା, କର୍ମୀ ଓ ସାମାଜିକ କର୍ମୀ ରହିଛନ୍ତି। ରାଜଧାନୀରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରାୟ ୨୫ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରାଯାଇଥିଲା।
ଦିଲ୍ଲୀ ପୁଲିସ ଏହି ପ୍ରଦର୍ଶନ ପାଇଁ ଅନୁମତି ଦେଇନଥିଲା। ଏହାସତ୍ତ୍ୱେ ସିଜେପି ଏବଂ ଅନ୍ୟ ସଂଗଠନର କର୍ମୀମାନେ ଜନ୍ତରମନ୍ତରରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ। ପୁଲିସ ମଧ୍ୟ ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳକୁ ଯାଉଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ ଲଗାଇବା ସହ ଯାନବାହନ ଯାଞ୍ଚ କରିଥିଲା। ବିଭିନ୍ନ ସ୍ଥାନରୁ ପ୍ରଦର୍ଶନକାରୀଙ୍କୁ ଅଟକ ରଖି ବସ୍ ଓ ଅନ୍ୟ ଗାଡ଼ିରେ ଅସ୍ଥାୟୀ ଅଟକ କେନ୍ଦ୍ରକୁ ନିଆଯାଇଥିଲା। ସକାଳରୁ ଅପରାହ୍ଣ ପର୍ଯ୍ୟନ୍ତ ପ୍ରଦର୍ଶନକାରୀମାନେ ଜନ୍ତରମନ୍ତରରେ ପହଞ୍ଚିପାରିନଥିଲେ। ସଂଗଠନର ପ୍ରମୁଖ ନେତାମାନଙ୍କୁ ମଧ୍ୟ ପ୍ରଦର୍ଶନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଦିନତମାମ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନରେ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ସିଜେପି ମୁଖ୍ୟ ଅଭିଜିତ ଦୀପକେ ଶନିବାର ସକାଳେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ପୁଲିସ ତାଙ୍କୁ ବିମାନ ଭିତରୁ ହିଁ ଅଟକ ରଖିଥିଲା। ତାଙ୍କ ସହ ଥିବା ସଂଗଠନର ସଂଯୋଜକ ସୌରଭ ଦାସ ଓ ନେତା ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ପ୍ରଦର୍ଶନ ପାଇଁ ଅନୁମତି ନଥିବାରୁ ଏହି ଆଗୁଆ ପଦକ୍ଷେପ ନିଆଯାଇଥିବା ପୁଲିସ ଅଧିକାରୀମାନେ କହିଥିଲେ। ଏହାପୂର୍ବରୁ ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ ବାସଭବନରୁ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ତାଙ୍କ ଘର ବାହାରେ ରାତିରୁ ହିଁ ପୁଲିସ ମୁତୟନ ହୋଇଥିଲା।
ପ୍ରଦର୍ଶନରେ ଯୋଗଦେବାକୁ ଆସୁଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀରେ ପୁଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ। ସାଉଥ୍ ଆଭେନ୍ୟୁ ନିକଟରେ ତାଙ୍କୁ ଅଟକାଯିବା ପରେ ସେ ଧାରଣାରେ ବସିଥିଲେ। ତୃଣମୂଳ କଂଗ୍ରେସ ନେତାଙ୍କ ଅନୁଯାୟୀ, ମମତା ବାନାର୍ଜୀଙ୍କ ସହ ରାଜ୍ୟସଭା ସଦସ୍ୟ ଡେରେକ୍ ଓ'ବ୍ରାଏନ୍ ଓ ଡୋଲା ସେନ୍ଙ୍କ ସମେତ ଦଳର ଅନ୍ୟ ପାଞ୍ଚ ଜଣ ନେତାଙ୍କୁ ଅଟକ ରଖାଯାଇଥିଲା। ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଜନ୍ତରମନ୍ତର ନିକଟରେ ଅଟକ ରଖାଯାଇଥିଲା। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଚଣ୍ଡୀଗଡ଼ରେ ଅଟକ ରଖାଯାଇଥିବା ଖବର ମିଳିଥିଲା। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସ୍ ଏବଂ କେରଳର ପୂର୍ବତନ ଅର୍ଥମନ୍ତ୍ରୀ କେ.ଏନ୍. ବାଲଗୋପାଳଙ୍କୁ ମଧ୍ୟ ଦିଲ୍ଲୀ ଆସିବା ସମୟରେ ଅଟକ ରଖାଯାଇଥିବା ସୂଚନା ମିଳିଥିଲା।
ପ୍ରଦର୍ଶନକୁ ରୋକିବା ପାଇଁ ସାର୍ବଜନୀନ ପରିବହନ ଉପରେ ମଧ୍ୟ ବ୍ୟାପକ କଟକଣା ଲଗାଯାଇଥିଲା। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି) ପ୍ରଥମେ ଅକ୍ଟୋବର 9 ରାତି 10ଟାରୁ ୫୭ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରଖିବାକୁ ଘୋଷଣା କରିଥିଲା। ପରେ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ପ୍ରଭାବିତ ଷ୍ଟେସନ ସଂଖ୍ୟାକୁ ୪୫କୁ ହ୍ରାସ କରାଯାଇଥିଲା। ଏହି କଟକଣା ଯୋଗୁଁ ଅନେକ ଷ୍ଟେସନରେ ଯାତ୍ରୀମାନେ ପ୍ରବେଶ ଓ ପ୍ରସ୍ଥାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଅଧିକାଂଶ ପ୍ରଭାବିତ ଷ୍ଟେସନରେ ଅନ୍ୟ ମାର୍ଗକୁ ଯିବା ପାଇଁ ମେଟ୍ରୋ ପରିବର୍ତ୍ତନର ସୁବିଧା ରଖାଯାଇଥିଲା। ନୂଆଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଏହି ସୁବିଧା ମଧ୍ୟ ପ୍ରଭାବିତ ହୋଇଥିଲା। ସୁରକ୍ଷା କାରଣରୁ ସରାୟ କାଲେ ଖାନ୍ ଏବଂ ନ୍ୟୁ ଅଶୋକ ନଗରର ନମୋ ଭାରତ ଷ୍ଟେସନକୁ ମଧ୍ୟ ବନ୍ଦ ରଖାଯାଇଥିଲା।
ରେଳ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ ସହ ଜଡ଼ିତ ସେବା ଉପରେ କଟକଣା ଯୋଗୁଁ ଅକ୍ଟୋବର ୧୦ ଅପରାହ୍ଣ ୨ଟା ସୁଦ୍ଧା ୨୪୫ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ସୂଚନା ମିଳିଥିଲା। ଏଥିରେ ସ୍ଥାନୀୟ ଓ ଦୂରଗାମୀ ଟ୍ରେନ୍ ରହିଥିଲା। ଫଳରେ ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀମାନେ ନିଜ ଯାତ୍ରା ଯୋଜନା ବଦଳାଇବାକୁ ବାଧ୍ୟ ହୋଇଥିଲେ। ବିକଳ୍ପ ଯାତାୟାତ ବ୍ୟବସ୍ଥାର ସହାୟତା ମଧ୍ୟ ନେବାକୁ ପଡ଼ିଥିଲା। ରାସ୍ତାରେ ବ୍ୟାରିକେଡ୍, ଯାନବାହନ ଯାଞ୍ଚ ଓ କ୍ୟାବ୍ ସେବା ବାତିଲ ଯୋଗୁଁ ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା। ଦିଲ୍ଲୀ ସଂଲଗ୍ନ ଉତ୍ତରପ୍ରଦେଶ ଅଞ୍ଚଳରୁ ଦିଲ୍ଲୀ ଆସିବାକୁ ଥିବା ଯାତ୍ରୀଙ୍କ ଯୋଜନା ମଧ୍ୟ ପ୍ରଭାବିତ ହୋଇଥିବା ଖବର ମିଳିଥିଲା।
ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ନୂଆଦିଲ୍ଲୀ ଜିଲ୍ଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଲାଗୁ କରାଯାଇଥିଲା। ଏହା ବ୍ୟତୀତ ଜନପଥ-କର୍ତ୍ତବ୍ୟ ପଥ ଛକର ଚାରି କିଲୋମିଟର ପରିଧି ମଧ୍ୟରେ ଅକ୍ଟୋବର ୯ ରାତି ୧୦ଟାରୁ ଅକ୍ଟୋବର ୧୦ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଆଦେଶ ଦିଆଯାଇଥିଲା। ମଧ୍ୟ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ ଓ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ରଖାଯାଇଥିଲା। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବଜାର ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା।
ପ୍ରଦର୍ଶନକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା, ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ, ଏସ୍ଆଇଆର୍ ଉପରେ ରୋକ, ଜାନୁଆରୀ ୨୦୨୫ର ଭୋଟର ତାଲିକା ପୁନଃ ବହାଲ କରିବା ଏବଂ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କଥିତ ଅନିୟମିତତାର ସ୍ୱାଧୀନ ତଦନ୍ତ ଦାବି ରହିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତ ଅଧିନିୟମ, ୨୦୨୩କୁ ରଦ୍ଦ କରିବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି। ଭୋଟର ତାଲିକା ପୁନରୀକ୍ଷଣ ପ୍ରକ୍ରିୟା ଦ୍ୱାରା ମତଦାତାଙ୍କ ଅଧିକାର ପ୍ରଭାବିତ ହୋଇପାରେ ବୋଲି ପ୍ରଦର୍ଶନକାରୀମାନେ ଅଭିଯୋଗ କରିଛନ୍ତି। ତେବେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାର ଖଣ୍ଡନ କରିଆସୁଛନ୍ତି।
ଦିନତମାମ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବିରୋଧୀ ଦଳଗୁଡ଼ିକ ଏହାର ସମାଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନେକ ବିରୋଧୀ ନେତା ପ୍ରଦର୍ଶନକାରୀ, ଛାତ୍ର, ଓକିଲ ଓ ଅନ୍ୟମାନଙ୍କୁ ଅଟକ ରଖାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ, ଭାରତୀୟ ଜନତା ପାର୍ଟିର ନେତାମାନେ ପ୍ରଦର୍ଶନର ଆୟୋଜକଙ୍କୁ ସମାଲୋଚନା କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆବଶ୍ୟକ ବୋଲି କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ପରିବହନ ସମ୍ବନ୍ଧୀୟ କଟକଣାକୁ ସମ୍ପୂର୍ଣ୍ଣ ବନ୍ଦରେ ପରିଣତ ନକରିବାକୁ କହିଥିବା ସୂଚନା ମିଳିଥିଲା। ତଥାପି ମେଟ୍ରୋ, ରେଳ ଓ ସଡ଼କ ଯାତାୟାତ ଉପରେ ପଡ଼ିଥିବା ପ୍ରଭାବ ଯୋଗୁଁ ସାଧାରଣ ଯାତ୍ରୀମାନେ ଦିନତମାମ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ସିଜେପି ଏକ ଭିଡିଓ ଜାରି କରି ଘୋଷଣା କରିଥିଲା ଯେ ଅଭିଜିତ ଦୀପକେଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ସିନ୍ଦେ ପ୍ରଦର୍ଶନର ନେତୃତ୍ୱ ନେବେ। ତେବେ ବ୍ୟାପକ ପୁଲିସ ମୁତୟନ ଓ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯିବା କାରଣରୁ ଜନ୍ତରମନ୍ତରରେ ସଂଗଠନର ପ୍ରସ୍ତାବିତ ବଡ଼ ପ୍ରଦର୍ଶନ ହୋଇପାରିନଥିଲା।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ