
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.) – ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଶା ରାଜ୍ୟ କ୍ୟାବିନେଟ ପକ୍ଷରୁ ଏକ ସଂକଳ୍ପ ପାରିତ ହୋଇଛି। ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦୀଙ୍କ ନିରବଚ୍ଛିନ୍ନ ସେବା, ସମର୍ପଣ ଓ ଦୃଢ଼ ସଂକଳ୍ପ ଦେଶର ଗଣତାନ୍ତ୍ରିକ ତଥା ପ୍ରଶାସନିକ ଇତିହାସରେ ଏକ ବିରଳ ଉଦାହରଣ।
୨୦୨୬ ଅକ୍ଟୋବର ୭ ତାରିଖରେ ମୋଦୀ ଜଣେ ଶାସନ ମୁଖ୍ୟ ଭାବେ ଦେଶବାସୀଙ୍କ ସେବାରେ ୨୫ ବର୍ଷ ପୂରଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ବିକାଶ ଓ ଜନକଲ୍ୟାଣ ପ୍ରତି ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ଅସାଧାରଣ ନେତୃତ୍ୱ ଓ ସେବା ମନୋଭାବ ପ୍ରତି ଦେଶବାସୀଙ୍କ ଅତୁଟ ସମର୍ଥନ ରହିଛି। ୨୦୧୪ ମେ ୨୬ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରଠାରୁ ଦେଶ ଦ୍ରୁତଗତିରେ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ଆତ୍ମନିର୍ଭରଶୀଳତା, ଯୁବଶକ୍ତିର ଦକ୍ଷତାର ଉପଯୋଗ ଏବଂ ଗରିବଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଭଳି କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ପାଇଁ ମୋଦୀ ମହିଳା, କୃଷକ, ଗରିବ ଓ ଯୁବବର୍ଗଙ୍କ ସଶକ୍ତିକରଣକୁ ପ୍ରାଥମିକତା ଦେଇଆସୁଛନ୍ତି। ଏହି ଚାରି ବର୍ଗର ବିକାଶ ମାଧ୍ୟମରେ ସମଗ୍ର ଦେଶକୁ ସଶକ୍ତ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମି ଓ ସରକାରୀ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ୨୦୧୪ ପୂର୍ବର ଭାରତ ତୁଳନାରେ ଆଜିର ଭାରତରେ ବ୍ୟାପକ ପରିବର୍ତ୍ତନ ଘଟିଛି। ‘ଇଣ୍ଡିଆ ଫାଷ୍ଟ’ ନୀତିକୁ ଆଧାର କରି ଦେଶର ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଗରିବ ପରିବାରରୁ ଆସିଥିବାରୁ ମୋଦୀ ଗରିବଙ୍କ ସମସ୍ୟାକୁ ନିକଟରୁ ବୁଝିପାରିଛନ୍ତି। ଏହାର ପ୍ରତିଫଳନ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଅନ୍ତ୍ୟୋଦୟ ନୀତିକୁ ଗୁରୁତ୍ୱ ଦିଆଯାଉଛି। ମୋଦୀଙ୍କ ୧୨ ବର୍ଷର ପ୍ରଧାନମନ୍ତ୍ରିତ୍ୱ କାଳରେ ୨୫ କୋଟିରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ୍ ମହାମାରୀ, ଆତଙ୍କବାଦୀ କାର୍ଯ୍ୟକଳାପ ଓ ଯୁଦ୍ଧଜନିତ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ଭଳି ଆହ୍ୱାନର ମୁକାବିଲାରେ ମୋଦୀଙ୍କ ଦୃଢ଼ ରାଜନୈତିକ ଓ ପ୍ରଶାସନିକ ନେତୃତ୍ୱ ପ୍ରତିଫଳିତ ହୋଇଛି। ଏହି ଆହ୍ୱାନ ସତ୍ତ୍ୱେ ଦେଶର ଅର୍ଥନୀତିକୁ ସୁଦୃଢ଼ ରଖିବା ସହ ଭାରତର ବିଶ୍ୱସ୍ତରୀୟ ସ୍ଥିତିକୁ ଅଧିକ ମଜଭୁତ କରାଯାଇଛି। ଆଜିର ଭାରତ ନିଜ ଐତିହ୍ୟକୁ ନେଇ ଗର୍ବ କରିବା ସହ ନିଜ ସାମର୍ଥ୍ୟ ଓ ଆତ୍ମବିଶ୍ୱାସକୁ ଆଧାର କରି ଆଗକୁ ବଢ଼ୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଓଡ଼ିଶାର ବିକାଶମୂଳକ ପଦକ୍ଷେପଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ମିଳିଛି। ରାଜ୍ୟରେ ବର୍ତ୍ତମାନର ସରକାର ଗଠନ ପରଠାରୁ ପ୍ରଧାନମନ୍ତ୍ରୀ ଆଠ ଥର ଓଡ଼ିଶା ଗସ୍ତ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ସହ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଓ ଗରିବ କଲ୍ୟାଣ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରର ସହଯୋଗ ମିଳୁଛି। ପୂର୍ବୋଦୟ ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ରହିଛି।
ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ପରଠାରୁ ରାଜ୍ୟରେ ୨,୨୩୬ କିଲୋମିଟର ନୂତନ ରେଳପଥ ନିର୍ମାଣ ହୋଇଛି ଏବଂ ରେଳପଥର ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇଛି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷାରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ପ୍ରକଳ୍ପ ଏବେ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଓଡ଼ିଶାର ୧୭ଟି ଜିଲ୍ଲାକୁ ୨୫ଟି ଷ୍ଟପେଜ୍ ମାଧ୍ୟମରେ ଛଅଟି ବନ୍ଦେ ଭାରତ ଟ୍ରେନ୍ ସଂଯୋଗ କରୁଛି। ଏହାସହ ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ୫୯ଟି ରେଳଷ୍ଟେସନ୍ର ପୁନର୍ବିକାଶ କରାଯାଉଛି।
ସଡ଼କ ଭିତ୍ତିଭୂମି କ୍ଷେତ୍ରରେ ୧୧୧ କିଲୋମିଟର ଦୀର୍ଘ ଛଅ ଲେନ୍ ବିଶିଷ୍ଟ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପାଇଁ ୮,୩୦୮ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରାୟ ୮,୩୦୦ କୋଟି ଟଙ୍କା ବ୍ୟୟରେ ୧୬୦ କିଲୋମିଟରରୁ ଅଧିକ ଦୀର୍ଘ ଗ୍ରୀନ୍ଫିଲ୍ଡ ଓଡ଼ିଶା ଉପକୂଳ ରାଜପଥକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଗୋପାଳପୁରକୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଦେଇ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ଦୀଘା ସହ ସଂଯୋଗ କରିବ।
ଝାରସୁଗୁଡ଼ାର ପୂର୍ବତନ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳୀନ ବିମାନଘାଟିକୁ ଉଡ଼ାନ୍ ଯୋଜନା ଅଧୀନରେ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ବିକଶିତ କରାଯାଇଛି। ୨୦୧୮ ସେପ୍ଟେମ୍ବର ୨୨ରୁ ଏଠାରୁ ବିମାନ ସେବା ଆରମ୍ଭ ହୋଇଥିଲା। ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ସିଧାସଳଖ ବିମାନ ସଂଯୋଗ ଦ୍ୱାରା ପଶ୍ଚିମ ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିଛି।
ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଗଭୀର ସମୁଦ୍ର ବନ୍ଦର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪,୭୦୦ କୋଟି ଟଙ୍କା ବ୍ୟୟରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି। ଏହି ସବୁ ପ୍ରକଳ୍ପ ରାଜ୍ୟର ସଡ଼କ, ରେଳ, ଆକାଶ ଓ ଜଳପଥ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଅର୍ଥନୈତିକ ବିକାଶକୁ ଗତି ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ର ବିକାଶ, ପାରାଦୀପ ତୈଳ ବିଶୋଧନାଗାରର ସମ୍ପ୍ରସାରଣ ଓ ପେଟ୍ରୋଲିୟମ୍, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିଅନ୍ ର ବିକାଶ ଦ୍ୱାରା ଉପକୂଳ ଓଡ଼ିଶା ଏକ ବଡ଼ ଅର୍ଥନୈତିକ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି। ଚଣ୍ଡିଖୋଲରେ ରଣନୈତିକ ପେଟ୍ରୋଲିୟମ୍ ରିଜର୍ଭ ପ୍ରତିଷ୍ଠା କରାଯାଉଛି।
ବ୍ରହ୍ମପୁରରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ଏବଂ ସମ୍ବଲପୁରରେ ଭାରତୀୟ ପରିଚାଳନା ସଂସ୍ଥାନ ପ୍ରତିଷ୍ଠା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱ ବଢ଼ିଛି। ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ ଓ ସମ୍ପ୍ରସାରଣ କରାଯାଇଥିବା ବେଳେ ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ମଧ୍ୟ କରାଯାଉଛି।
ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରୀନ୍ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ସୁବିଧା ପ୍ରତିଷ୍ଠା ହେଉଛି। ଇନଫୋଭ୍ୟାଲିରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର ଗଠନ ଦ୍ୱାରା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶର ସମ୍ଭାବନା ବଢ଼ିଛି। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜ ସ୍ଥିତି ମଜଭୁତ କରୁଛି। ତାଳଚେରରେ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସାର ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ରାଜ୍ୟ ପାଇଁ ‘ଭିଜନ୍ ୨୦୩୬’ ଓ ‘ଭିଜନ୍ ୨୦୪୭’ ପ୍ରସ୍ତୁତ କରାଯାଇଛି। ବିକଶିତ ଭାରତର ଲକ୍ଷ୍ୟ ସହ ତାଳ ଦେଇ ଓଡ଼ିଶାର ବିକାଶ ପାଇଁ ଦୁଇଟି ଦୀର୍ଘକାଳୀନ ଦୃଷ୍ଟିକୋଣ ପ୍ରସ୍ତୁତ କରିବାକୁ ନୀତି ଆୟୋଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଓ ନୀତି ଆୟୋଗ ସମର୍ଥନ କରିଥିଲେ।
ଓଡ଼ିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ଓ ସହଯୋଗ ରାଜ୍ୟର ସମୃଦ୍ଧି ଲକ୍ଷ୍ୟକୁ ଶୀଘ୍ର ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ୟାବିନେଟ ପକ୍ଷରୁ ସଂକଳ୍ପ ପାରିତ କରାଯାଇଥିବାରୁ ସେ ସମସ୍ତ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ