ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସଚେତନତାକୁ ନେଇ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା
ରାଇରଙ୍ଗପୁର, ୧୩ ଅକ୍ଟୋବର (ହି.ସ.)- ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଇରଙ୍ଗପୁରସ୍ଥିତ ଏସ୍.ଏସ୍.ଡି. ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ଅଷ୍ଟମରୁ
ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସଚେତନତାକୁ ନେଇ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା


ରାଇରଙ୍ଗପୁର, ୧୩ ଅକ୍ଟୋବର (ହି.ସ.)- ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଇରଙ୍ଗପୁରସ୍ଥିତ ଏସ୍.ଏସ୍.ଡି. ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ସମେତ ଅନ୍ୟାନ୍ୟ ବ୍ଲକର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଏସ ଏସ ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ହେମ ମାଝୀ ଏବଂ ଏନ୍.ସି.ସି. ଶିକ୍ଷୟିତ୍ରୀ ଶ୍ରୀମତୀ ହେମଲତା ମହାନ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ଓ ତିମିର ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଚିତ୍ରାଙ୍କନ ଓ ସ୍ଲୋଗାନ ମାଧ୍ୟମରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରିଥିଲେ। ହେଲମେଟ୍ ଓ ସିଟ୍ ବେଲ୍ଟର ଉପଯୋଗ, ଟ୍ରାଫିକ୍ ନିୟମ ପାଳନ, ଦ୍ରୁତଗତିରେ ଗାଡ଼ି ଚାଳନାରୁ ନିବୃତ୍ତ ରହିବା, ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଭଳି ବିଷୟଗୁଡ଼ିକୁ ସେମାନେ ନିଜ ଚିତ୍ର ଓ ସ୍ଲୋଗାନ ମାଧ୍ୟମରେ ଦର୍ଶାଇଥିଲେ।

ଏହି ଅବସରରେ ଉପସ୍ଥିତ ଅତିଥି ଓ ଅନ୍ୟ ସମସ୍ତେ ସଡ଼କ ସୁରକ୍ଷା ସମ୍ପର୍କିତ ସମୂହ ଶପଥ ପାଠ କରିଥିଲେ। ଅତିଥିବୃନ୍ଦ ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ନିଜେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ଏବଂ ନିଜ ପରିବାର ଓ ସମାଜରେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସମସ୍ତଙ୍କ ସହଯୋଗ, ସତର୍କତା ଓ ନିୟମାନୁବର୍ତ୍ତିତା ଅତ୍ୟନ୍ତ ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଇରଙ୍ଗପୁର ଏସ.ଏସ.ଡି. ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟର ଚନ୍ଦ୍ରିକା ମୁଣ୍ଡା, ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁରର ଅନ୍ନପ୍ରିୟା ନାଏକ ଓ ଡୋଭା ନୂତନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉତ୍କଳ ରଞ୍ଜନ ଗିରି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋଗାନ ପ୍ରତିଯୋଗିତାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମହୁଲଡିହାର ଶୁଭ୍ରାଂଶୁ ସ୍ୱାଇଁ, କିଚକେଶ୍ବରୀ ସରକାରୀ ବାଳିକା ବିଦ୍ୟାଳୟର ଶିବାଙ୍ଗି ବାରିକ ଓ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜୁ ମହାନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ଅବସରରେ ଅତିଥି ବୃନ୍ଦ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଅଂଶଗ୍ରହଣ କରିଥବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ଏକ ସୁରକ୍ଷିତ ଓ ଦୁର୍ଘଟଣାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଇରଙ୍ଗପୁର ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande