ସୁରକ୍ଷା ସହଯୋଗ ବୃଦ୍ଧି, ସୀମା ପରିଚାଳନାକୁ ସୁଦୃଢ଼ କରିବା ଲାଗି ଭାରତ-ନେପାଳ ପ୍ରତିବଦ୍ଧ
ନୂଆଦିଲ୍ଲୀ, ଅକ୍ଟୋବର ୧୫ (ହିସ.)- ଭାରତ ଏବଂ ନେପାଳ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗକୁ ଗଭୀର କରିବା, ସୀମା ପରିଚାଳନାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦ ସମେତ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପାରସ୍ପରିକ ସମନ୍ୱୟ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ସୁରକ୍ଷା ସହଯୋଗ ବୃଦ୍ଧି, ସୀମା ପରିଚାଳନାକୁ ସୁଦୃଢ଼ କରିବା ଲାଗି ଭାରତ-ନେପାଳ ପ୍ରତିବଦ୍ଧ


ନୂଆଦିଲ୍ଲୀ, ଅକ୍ଟୋବର ୧୫ (ହିସ.)- ଭାରତ ଏବଂ ନେପାଳ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗକୁ ଗଭୀର କରିବା, ସୀମା ପରିଚାଳନାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦ ସମେତ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପାରସ୍ପରିକ ସମନ୍ୱୟ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ତାଙ୍କ ନେପାଳୀ ପ୍ରତିପକ୍ଷ ସୁଦାନ ଗୁରୁଙ୍ଗ ବୁଧବାର ନୂଆଦିଲ୍ଲୀରେ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବୈଠକ ଅବସରରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଗୁରୁଙ୍ଗଙ୍କ ସଚିବାଳୟ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ଦୁଇ ମନ୍ତ୍ରୀ ସହଭାଗୀ ସୁରକ୍ଷା ଚିନ୍ତା ଉପରେ ମତ ବିନିମୟ କରିଥିଲେ ଏବଂ ଏହି ଅଂଚଳରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ରାଜି ହୋଇଥିଲେ। ଗୁରୁଙ୍ଗ ଭାରତୀୟ ବଜାରରେ ନେପାଳୀ ବ୍ୟବସାୟଗୁଡ଼ିକ ସମ୍ମୁଖୀନ ହେଉଥିବା ବୈଷୟିକ ପ୍ରତିବନ୍ଧକ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ, ବିଶେଷ କରି ଭାରତୀୟ ମାନକ ବ୍ୟୁରୋର (ବି. ଆଇ. ଏସ୍.) ସାର୍ଟିଫିକେଟ୍ ସମ୍ବନ୍ଧୀୟ। ଶାହା ଏହି ଚିନ୍ତାଧାରାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ।

ଭୋଟେକୋସିରେ ଭୟଙ୍କର ବନ୍ୟା ଏବଂ ନିକଟରେ ତଳିଆ ଅଂଚଳରେ ଭୂସ୍ଖଳନ ପରେ ଭାରତର ସମୟୋଚିତ ସହାୟତା ପାଇଁ ନେପାଳର ସ୍ୱରାଷ୍ଟ୍ର ମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ। ଭାରତରେ ଥିବା ନେପାଳୀ ଦୂତାବାସ ଅନୁଯାୟୀ, ଏହି ବୈଠକରେ ସୁରକ୍ଷା ସହଯୋଗ, ସୀମା ପରିଚାଳନା, ସୀମାପାର ସଂଗଠିତ ଅପରାଧର ମୁକାବିଲା ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ଭଳି ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଗୁରୁଙ୍ଗ ସାର୍ବଭୌମ ସମାନତା, ପାରସ୍ପରିକ ସମ୍ମାନ ଏବଂ ବିଶ୍ୱାସ ଆଧାରରେ ଦୁଇ ଦେଶ ମଧ୍ୟରେ ବ୍ୟବହାରିକ ଏବଂ ପାରସ୍ପରିକ ଲାଭପ୍ରଦ ସହଯୋଗକୁ ଆଗକୁ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିମ୍ଷ୍ଟେକ୍ ବୈଠକରେ ସେ ଆଂଚଳିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତନ ଜନିତ ବିପର୍ଯ୍ୟୟଗୁଡ଼ିକର ଉନ୍ନତ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande