
Jharsuguda, 16 ଅକ୍ଟୋବର (ହି.ସ.)
-ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ କରକମଳରେ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ
ପ୍ରାୟ ୧୭.୭୭ କୋଟି ଟଙ୍କା ବ୍ୟୟରେ ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ
ପ୍ରାୟ ୯.୪୦ କୋଟି ବ୍ୟୟରେ ଲଖନପୁରରେ ନିର୍ମାଣ ହେବ ନୂଆ ବସ୍ଷ୍ଟାଣ୍ଡ
କିରମିରା-ଲଇକେରା-ଝାରସୁଗୁଡ଼ା ଦେଇ ଲଖନପୁର ପର୍ଯ୍ୟନ୍ତ ନୂତନ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ବସ୍ ଚଳାଚଳ ଆରମ୍ଭ
ଝାରସୁଗୁଡ଼ା, ୧୬ ଝାରସୁଗୁଡ଼ା ଜିଲ୍ଲାର ପରିବହନ ଓ ଗମନାଗମନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ତଥା ଯାତ୍ରୀ-ଅନୁକୂଳ କରିବା ଲକ୍ଷ୍ୟରେ ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ବେଲପାହାଡ଼ଠାରେ ୧୭ କୋଟି ୭୭ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅଟଳ ବସ୍ଷ୍ଟାଣ୍ଡର ଭବ୍ୟ ଲୋକାର୍ପଣ ସମ୍ପନ୍ନ ହୋଇଥିବା ବେଳେ ଲଖନପୁରଠାରେ ୯ କୋଟି ୪୦ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ସହିତ ଆଞ୍ଚଳିକ ଯୋଗାଯୋଗକୁ ସୁଗମ କରିବା ପାଇଁ କିରମିରାରୁ ଲଇକେରା ଓ ଝାରସୁଗୁଡ଼ା ଦେଇ ଲଖନପୁର ପର୍ଯ୍ୟନ୍ତ ନୂତନ ‘ଏମ୍ବିଏସ୍’ ବସ୍ ଚଳାଚଳର ମଧ୍ୟ ଶୁଭାରମ୍ଭ କରାଯାଇଛି।
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ।ଥିଲେ। ଏଥିସହ ଏହି ଅବସରରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ଓଏସ୍ଆର୍ଟିସିର ଜେନେରାଲ୍ ମ୍ୟାନେଜର ସୁନ୍ଦର ମାଧବ ପାଢ଼ୀ, ଜିଲ୍ଲା ପରିଷଦର ସିଡିଓ ତଥା ଇଓ ବିଶ୍ୱରଞ୍ଜନ ନାୟକ, ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଓ ବିପୁଳ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଦୁଇଟି ପ୍ରମୁଖ ବସ୍ଷ୍ଟାଣ୍ଡ ଏବଂ ନୂତନ ବସ୍ ମାର୍ଗ କାର୍ଯ୍ୟକ୍ଷମ ହେବା ଫଳରେ ଜିଲ୍ଲାର ବ୍ଲକ୍ଗୁଡ଼ିକ ମଧ୍ୟରେ ଯାତାୟାତ ବ୍ୟବସ୍ଥା ଅତ୍ୟନ୍ତ ସୁଗମ ହେବ। ଗ୍ରାମାଞ୍ଚଳ ସହିତ ସହରାଞ୍ଚଳର ସିଧାସଳଖ ସଂଯୋଗ ସ୍ଥାପନ ହେବା ଦ୍ୱାରା ଦୈନନ୍ଦିନ ଯାତ୍ରୀ, ଛାତ୍ରଛାତ୍ରୀ ତଥା ବ୍ୟବସାୟୀମାନେ ବିଶେଷ ଭାବରେ ଉପକୃତ ହେବେ ଏବଂ ଆଞ୍ଚଳିକ ଅର୍ଥନୀତିରେ ମଧ୍ୟ ଏକ ନୂତନ ଗତି ସଞ୍ଚାର ହେବ।
ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଅବସରରେ କହିଥିଲେ ଯେ,ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ସୁଲଭ, ସୁରକ୍ଷିତ ଓ ଆଧୁନିକ ପରିବହନ ସେବା ପହଞ୍ଚାଇବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ ଏବଂ ଲଖନପୁରରେ ନିର୍ମାଣ ହେବାକୁ ଥିବା ନୂଆ ବସ୍ଷ୍ଟାଣ୍ଡ ଅଞ୍ଚଳର ରୂପରେଖ ବଦଳାଇବ। କିରମିରାରୁ ଲଖନପୁର ପର୍ଯ୍ୟନ୍ତ ନୂତନ ବସ୍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଅଧିକ ସହଜ କରିବ।
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଝାରସୁଗୁଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର। ଏହାର ସର୍ବାଙ୍ଗୀଣ ବିକାଶ ପାଇଁ ସୁଦୃଢ଼ ଯୋଗାଯୋଗ ଭିତ୍ତିଭୂମି ଅପରିହାର୍ଯ୍ୟ। ଅଟଳ ବସ୍ଷ୍ଟାଣ୍ଡ କେବଳ ଏକ ଟର୍ମିନାଲ୍ ନୁହେଁ, ବରଂ ଏହା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ସଶକ୍ତ ମାଧ୍ୟମ। ଜନସାଧାରଣଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।
ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଏହି ଅବସରରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଲଖନପୁର ଓ ବେଲପାହାଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଆଜି ସାକାର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଏବଂ ନୂତନ ବସ୍ ମାର୍ଗ ସ୍ଥାନୀୟ ଲୋକଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ନାଗରିକଙ୍କ ସୁବିଧା ଓ ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତି ଆମର ପ୍ରାଥମିକତା। ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ, ଲଖନପୁର ବସ୍ଷ୍ଟାଣ୍ଡର ଶିଳାନ୍ୟାସ ଏବଂ କିରମିରା-ଲଇକେରା-ଝାରସୁଗୁଡ଼ା ଦେଇ ଲଖନପୁର ନୂତନ ବସ୍ ସେବା ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଉପହାର। ଏହି ଜନହିତକର ପଦକ୍ଷେପ ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।
ସାଧାରଣ ଲୋକଙ୍କ ସୁବିଧା, ନିରାପଦ ଯାତ୍ରା ଏବଂ ଉନ୍ନତ ନାଗରିକ ସେବା ଯୋଗାଇବା ଦିଗରେ ଏହି ପଦକ୍ଷେପ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି, ଯାହା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଝାରସୁଗୁଡ଼ା ଗଠନର ମାର୍ଗକୁ ଅଧିକ ପ୍ରଶସ୍ତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ