
ଘଟଗାଁ , ୧୬ ଅକ୍ଟୋବର (ହି.ସ.)
ମୋରମ ପରିବହନ ବେଳେ ଗାଡ଼ି ଧକ୍କାରେ ଭାଙ୍ଗିଲା ଲ୍ୟାମ୍ପ କାର୍ଯ୍ୟାଳୟର ମୁଖ୍ୟ ଫାଟକ। ଘଟଣାକୁ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଫାଟକ ମରାମତି ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଆଗକୁ ଧାନ କିଣା ଆରମ୍ଭ ହେବାକୁ ଥିବାବେଳେ ଏଭଳି ଅବହେଳା ଚାଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୨୦ ଦିନ ପୂର୍ବରୁ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆର୍ଡବ୍ଲ୍ୟୁଏସ୍ଏସ୍ (RWSS) ପକ୍ଷରୁ ଏକ ଷ୍ଟୋର ରୁମ୍ ନିର୍ମାଣ ପାଇଁ ମୋରମ ଅଣାଯାଇଥିଲା। ଏହି ସମୟରେ ମୋରମ ବୋଝେଇ ଗାଡ଼ି ଲ୍ୟାମ୍ପ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଧକ୍କା ଦେବାରୁ ତାହା ଭାଙ୍ଗିଯାଇଥିଲା। ମୋରମ ପକାଇବା କାମ ଶେଷ ହୋଇଥିଲେ ମଧ୍ୟ ଭାଙ୍ଗିଥିବା ଫାଟକର ମରାମତି କରାଯାଇନଥିବାରୁ ପ୍ରଶାସନର ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ଲ୍ୟାମ୍ପ ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଅନଲାଇନ୍ ପଞ୍ଜୀକରଣ ଶେଷ କରିସାରିଛନ୍ତି। ଖୁବ୍ଶୀଘ୍ର ଧାନ କିଣା ଆରମ୍ଭ ହେବାକୁ ଥିବାରୁ ଏହି କେନ୍ଦ୍ରକୁ ଚାଷୀଙ୍କ ଧାନ ଆସିବା ସହ ଯାତାୟାତ ବଢ଼ିବ। ଏଭଳି ସମୟରେ ମୁଖ୍ୟ ଫାଟକ ଭାଙ୍ଗି ରହିବା ଚୋରି ଓ ଅନ୍ୟାନ୍ୟ ସୁରକ୍ଷା ସମସ୍ୟାର ଆଶଙ୍କା ସୃଷ୍ଟି କରୁଛି।
ଉଲ୍ଲେଖଯୋଗ୍ୟ, ବିଗତ ବର୍ଷରେ ଏହି ଲ୍ୟାମ୍ପରେ ରଖାଯାଇଥିବା ଚାଷୀଙ୍କ ଧାନ ହାତୀ ଖାଇ ଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏଭଳି ପୂର୍ବ ଅନୁଭୂତି ପରେ ମଧ୍ୟ ଯଦି ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଏ, ତେବେ ଧାନର ସୁରକ୍ଷା କିଏ ନେବ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି।
ତେଣୁ ଧାନ କିଣା ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଥିବା ଫାଟକର ତୁରନ୍ତ ମରାମତି ସହ ଲ୍ୟାମ୍ପ ପରିସରର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଚାଷୀଙ୍କ ଧାନ ଆସିବା ପୂର୍ବରୁ ପ୍ରଶାସନ ଚେତୁଛି ନା କୌଣସି ଅଘଟଣକୁ ଅପେକ୍ଷା କରୁଛି!
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ