
ଝାରସୁଗୁଡା, ୨୩ ଅକ୍ଟୋବର (ହି.ସ.)- ବ୍ରଜରାଜନଗର ସହରର ‘ଗୋଲେଇ ଛକ’ ସ୍ଥିତ ପୁରାତନ ନାଟ୍ୟ ପେଣ୍ଡାଲ୍ ବା ଡ୍ରାମା ମଣ୍ଡପର ସଫଳ ରୂପାନ୍ତରଣ ହୋଇଯାଇଛି। ବ୍ରଜରାଜନଗର ପୌରପାଳିକାର ଏହି ସାଂସ୍କୃତିକ ଐତିହ୍ୟ ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ, ଅବହେଳିତ ତଥା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ବେଳେ ଏବେ ତାହା ଏକ ସୁଦୃଶ୍ୟ ‘ଓପନ୍ ଏୟାର୍ ଥିଏଟର୍’ ଓ ଆଧୁନିକ ନାଟ୍ୟ ମଞ୍ଚ ଭାବେ ନୂତନ ରୂପ ଧାରଣ କରିଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ଏବଂ ନିରନ୍ତର ତଦାରଖ ଓ ମାର୍ଗଦର୍ଶନ ଯୋଗୁଁ ଏହି ମହତ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇ ସାଧାରଣ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ହୋଇଛି।
ଏନେଇ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ସାମାଜିକ ଦାୟିତ୍ୱବୋଧ(ସିଏସଆର) ପାଣ୍ଠିର ମିଳିତ ସହଯୋଗରେ ସମୁଦାୟ ୩୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପୌର ପ୍ରଶାସନର ତତ୍ପରତା ଯୋଗୁଁ ମାତ୍ର ୬ ମାସର ସ୍ୱଳ୍ପ ସମୟ ମଧ୍ୟରେ ଏହି ବିଶାଳ ପୁନରୁଦ୍ଧାର ତଥା ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଛି। ଶ୍ରୀ ସ୍ୱାଇଁ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ନବନିର୍ମିତ ଓପନ୍ ଏୟାର୍ ଥିଏଟର୍ ବ୍ରଜରାଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଲୋକକଳା, ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇବ। ଏହାସହ ନିକଟସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ, ବୌଦ୍ଧିକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିବ। ସହରର ପୁରାତନ ଗୌରବକୁ ଫେରାଇ ଆଣିବା ସହ ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବାରେ ଏହି ରୂପାନ୍ତରିତ ନାଟ୍ୟ ମଣ୍ଡପ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ