
ଝାରସୁଗୁଡ଼ା, ୨୩ ଅକ୍ଟୋବର (ହି.ସ.)- ଧାର୍ମିକ ଭାବନା ସହ ଜଡ଼ିତ ପ୍ରସିଦ୍ଧ ପାହାଡ଼ି ମନ୍ଦିରକୁ ଯିବା ରାସ୍ତା ଏବେ ଲୋକଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ଝାରସୁଗୁଡ଼ା ପୌରପାଳିକାର ୧୬ ନମ୍ବର ୱାର୍ଡରେ ଥିବା ଏହି ମନ୍ଦିରର ମୁଖ୍ୟ ରାସ୍ତାଠାରୁ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା କଂକ୍ରିଟ୍ ରାସ୍ତାଟି ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାସାରା ବଡ଼ ବଡ଼ ଖାଲଖମା ଯୋଗୁଁ ଯାତାୟାତ ବିପଜ୍ଜନକ ହୋଇପଡ଼ିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦାବି ଜୋର୍ ଧରିଛି।
ସୂଚନା ଅନୁଯାୟୀ, ପ୍ରାୟ ୮ ବର୍ଷ ପୂର୍ବେ ପୌରପାଳିକା ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ନିର୍ମାଣ ପରଠାରୁ ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ସମୟ ଗଡ଼ିବା ସହ ରାସ୍ତାର ଅବସ୍ଥା ଅଧିକ ଖରାପ ହେଉଥିବା ବେଳେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ୁଛି। ପ୍ରତିଦିନ ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ଯାନବାହନ ଯାତାୟାତ କରୁଛି । ରାସ୍ତାରେ ଥିବା ବଡ଼ ବଡ଼ ଖାଲ ଯୋଗୁଁ ଯାତାୟାତ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ରହିଛି। ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହି ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି।
ରାସ୍ତାର ଦୁରବସ୍ଥା ନେଇ ସ୍ଥାନୀୟ ଲୋକେ ବାରମ୍ବାର ପୌର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଯାଏଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏକ ପ୍ରମୁଖ ଧାର୍ମିକ ସ୍ଥଳକୁ ଯିବା ରାସ୍ତାର ଏଭଳି ଅବସ୍ଥା ପୌର ପ୍ରଶାସନର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଝାରସୁଗୁଡ଼ା ପୌର ପରିଷଦର ଇ.ଓ. ନିଶିକାନ୍ତ ଟେଟେଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏବେ ସ୍ଥାନୀୟ ଲୋକଙ୍କ ମୁଖ୍ୟ ଦାବି ହେଉଛି, ବିଳମ୍ବ ନକରି ପାହାଡ଼ି ମନ୍ଦିର ରାସ୍ତାର ତୁରନ୍ତ ମରାମତି କରାଯାଉ। ଆବଶ୍ୟକ ସ୍ଥଳେ ରାସ୍ତାର ପୁନଃନିର୍ମାଣ କରି ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ପାଇଁ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରାଯାଉ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ କେବେ ଏହି ଦିଗରେ ଠୋସ୍ ପଦକ୍ଷେପ ନେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ