
ପୁରୀ, ୨୩ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ହବିଷ୍ୟାଳୀ ମାଆ ମାନଙ୍କୁ ରଖାଯିବ ତିନି ଗୋଟି କେନ୍ଦ୍ରରେ। ସେମାନଙ୍କ ସୁସ୍ଥ ଓ ସୁରକ୍ଷିତ ରହଣୀ ସହ ପ୍ରାତଃ କାଳରୁ ବୃନ୍ଦାବତୀ ପୂଜନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ, କୀର୍ତ୍ତନ, ପ୍ରବଚନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହବିଷ୍ୟାଳୀ ମାଆ ମାନେ ରହିବାକୁ ଥିବାବେଳେ ମୋଚିସାହି କଲ୍ୟାଣମଣ୍ଡପରେ ଗଞାମ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ମାଆ ମାନେ ଓ ଅନ୍ୟ ସମସ୍ତ ଜିଲ୍ଲାର ହବିଷ୍ୟାଳୀ ମାଆ ମାନେ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହିବେ। ଏହି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜେ ପରିଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥାକୁ ତ୍ବରାନ୍ବିତ ପ୍ରକ୍ରିୟାରେ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ସମସ୍ତ କେନ୍ଦ୍ରକୁ ସୁନ୍ଦର ଭାବରେ ସଜାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ପ୍ରଶିକ୍ଷିତ କରାଯାଇଛି। ସ୍ବେଚ୍ଛାସେବୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଛି।
ଆବେଦନକାରୀଙ୍କୁ ଷ୍ଟାଟସ ମାଧ୍ୟମରେ, ସେମାନେ ପଞ୍ଜିକୃତ କରିଥିବା ମୋବାଇଲ ନମ୍ବରରେ କଲ ମାଧ୍ୟମରେ, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଛି। ଚଳିତ ବର୍ଷ ସମସ୍ତ ଜିଲ୍ଲାରୁ ହବିଷ୍ୟାଳୀ ମାଆ ମାନଙ୍କ ଆଗମନ ଏକ ଖୁସିର କଥା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ହବିଷ୍ୟାଳୀ ବ୍ରତ ପାଇଁ ମାଆ ମାନେ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବେ। ସେମାନଙ୍କ ସମସ୍ତ ସୁବିଧା ପାଇଁ ସରକାର ଓ ପ୍ରଶାସନ ବ୍ୟବସ୍ଥା କରିଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ