
ବଲାଙ୍ଗୀର, ୨୪ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଂଚଳରେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବଣୁଆ ହାତୀପଲଙ୍କ ଆତଙ୍କ, ଅତ୍ୟାଚାର ଓ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଏବେ ଏକ ଭାଲୁର ଆତଙ୍କ ଅଂଚଳବାସୀଙ୍କ ଚିନ୍ତା ଦ୍ୱିଗୁଣ ବଢ଼ାଇଛି। ଶୁକ୍ରବାର ଦିନ ରାତି ୯ଟାରେ ଏହି ଭାଲୁଟି ଆଦର୍ଶ ବିଦ୍ୟାଳୟ ଓ ତହସିଲ ଅଫିସ ମଝିରେ ହୋଟେଲ ଦେଇଥିବା ବିକ୍ରମ କର୍ମୀଙ୍କ ଦୋକାନ ଭିତରକୁ ପଶି କୁରକୁରେ ଆଦି ଖାଇଥିବା ଦେଖିବାକୁ ମିଳିଥିଲା। ଆଖପାଖରେ ହିଁ ଭାଲୁଟି ଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚିିବାବେଳକୁ ଭାଲୁଟି ସେଠାରେ ହିଁ ଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଓ ଭିଡ଼ିଓ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ଲୋକେ ଛାଡ଼ି ଦେବାରୁ ଭାଲୁଟି ମୁରିବାହାଲରେ ହିଁ ଅଛି ବୋଲି ଜଣାପଡ଼ିଥିଲା। ଏହା ପୂର୍ବରୁ ଭାଲୁଟି ପ୍ରଥମେ ଗୁଡ଼ିଘାଟ ପଂଚାୟତ ବିଜାମାଲ, ବାବେଜୁରୀ, ମୁରିବାହାଲ ଆଦର୍ଶ ବିଦ୍ୟାଳୟ ନିକଟ ଭାଲୁ ଦେଖିବାକୁ ମିଳିଥିବାବେଳେ ଗୁରୁବାର ବୈରାଗୀ ପଡ଼ା ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହା ପୂର୍ବରୁ କଂଟାବାଞ୍ଜି ଅଂଚଳରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ଏବେ ଦେଖାଯାଉଥିବା ଭାଲୁଟି କଂଟାବାଞ୍ଜିରେ ଆକ୍ରମଣ କରିଥିବା ଭାଲୁ ନା ଅନ୍ୟ ଭାଲୁ, ତାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଜନବସତି ମଧ୍ୟକୁ ବନ୍ୟଜନ୍ତୁଙ୍କ ବାରମ୍ବାର ପ୍ରବେଶ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାତିରେ ନିଜ ଘରୁ ବାହାରିବାକୁ ନେଇ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମୁରିବାହାଲ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କୁ ପଚାରିବାରୁ ବଣୁଆ ହାତୀପଲ ଉପରେ ନଜର ରଖିବା ସହ ଭାଲୁର ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି। ଭାଲୁ ଦେଖାଯିବା ପରେ ଏହାକୁ କାବୁ କରିବା ପାଇଁ ବଲାଙ୍ଗୀରରୁ ରେପିଡ ରେସ୍କ୍ୟୁ ଟିମ୍କୁ ଡକାଯାଇଛି ବୋଲି ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ