ଜୟପୁର ମୁଖ୍ୟ ଡାକଘର ସ୍ଥାନାନ୍ତର ପ୍ରସ୍ତାବକୁ ନାଗରିକ କମିଟିର ବିରୋଧ
ଜୟପୁର, ୨୫ ଅକ୍ଟୋବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲା ର ବାଣିଜ୍ୟକ ଓ ବ୍ୟବସାୟିକ ପ୍ରାଣକେନ୍ଦ୍ର ଜୟପୁର ସହରରୁ ବହୁ ପୁରାତନ ମୁଖ୍ୟ ଡାକଘର ଓ ଡାକ ଡିଭିଜନାଲ୍ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଡାକ ବିଭାଗ ପକ୍ଷରୁ ଚାଲିଥିବା ପ୍ରକ୍ରିୟାକୁ ନାଗରିକ କମିଟି ବିରୋଧ କରିଛି । ଜୟପ
ଜୟପୁର ମୁଖ୍ୟ ଡାକଘର ସ୍ଥାନାନ୍ତର ପ୍ରସ୍ତାବ ନାଗରିକ କମିଟି ର ବିରୋଧ


ଜୟପୁର, ୨୫ ଅକ୍ଟୋବର (ହି.ସ.)- ଅବିଭକ୍ତ କୋରାପୁଟ ଜିଲ୍ଲା ର ବାଣିଜ୍ୟକ ଓ ବ୍ୟବସାୟିକ ପ୍ରାଣକେନ୍ଦ୍ର ଜୟପୁର ସହରରୁ ବହୁ ପୁରାତନ ମୁଖ୍ୟ ଡାକଘର ଓ ଡାକ ଡିଭିଜନାଲ୍ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଡାକ ବିଭାଗ ପକ୍ଷରୁ ଚାଲିଥିବା ପ୍ରକ୍ରିୟାକୁ ନାଗରିକ କମିଟି ବିରୋଧ କରିଛି । ଜୟପୁର ଠାରେ ନାଗରିକ କମିଟି ଏକ ସାମ୍ବାଦିକ ସମ୍ମିଳନୀ କରି ଉଦବେଗ ପ୍ରକାଶ କରିଛନ୍ତି ସଭାପତି ବିନୋଦିନୀ ସନ୍ତ୍ରାପତ୍ର l ପ୍ରଶାସନିକ ସୁବିଧା ପାଇଁ ନୂତନ ନବରଙ୍ଗପୁର ଡାକ ଡିଭିଜନ ଗଠନକୁ ସ୍ୱାଗତ କରାଯାଉଥିଲେ ହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରୁ ପୁରୁଣା ଓ ପ୍ରତିଷ୍ଠିତ ଡାକ ସେବା କେନ୍ଦ୍ରଗୁଡ଼ିକୁ ଛଡ଼ାଇ ନେବା ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଏବଂ ସହରର ଗୌରବ ଉପରେ ଚରମ ଆଘାତ ବୋଲି ‘ଜୟପୁର ନାଗରିକ କମିଟି’ ଅଭିଯୋଗ କରିଛି। ଏହି ନିଷ୍ପତ୍ତିର ତୁରନ୍ତ ପୁନର୍ବିଚାର ପାଇଁ ନୂଆଦିଲ୍ଲୀସ୍ଥିତ ଭାରତୀୟ ଡାକ ବିଭାଗର ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଡାକ ସର୍କଲ ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୧ ତାରିଖରୁ ନୂଆ ନବରଙ୍ଗପୁର ଡାକ ଡିଭିଜନ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ଯୋଜନା ଅନୁଯାୟୀ, ବର୍ତ୍ତମାନ କୋରାପୁଟ ଡିଭିଜନ ଅଧୀନରେ ଥିବା ଜୟପୁର ମୁଖ୍ୟ ଡାକଘରକୁ ନବରଙ୍ଗପୁର ଡିଭିଜନ ଅଧୀନକୁ ନିଆଯିବା ସହ ଜୟପୁରରେ ଥିବା କୋରାପୁଟ ପୋଷ୍ଟାଲ୍ ଡିଭିଜନାଲ୍ ଅଫିସକୁ କୋରାପୁଟକୁ ସ୍ଥାନାନ୍ତର କରାଯିବ। ଏହା ବ୍ୟତୀତ ଜୟପୁର ପୌରାଞ୍ଚଳର ଶ୍ରୀରାମ ନଗର, ବି.ଡି. ପୁର ଏବଂ ସିଭିଲ୍ କୋର୍ଟ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ଉପ-ଡାକଘରକୁ ମଧ୍ୟ ନବରଙ୍ଗପୁର ଡିଭିଜନ ଅଧୀନରେ ସାମିଲ କରାଯିବାକୁ ପ୍ରସ୍ତାବ ରହିଛି। ଏହା ଦ୍ୱାରା ସହର ତଥା ଗ୍ରାମାଞ୍ଚଳର ବରିଷ୍ଠ ନାଗରିକ, ପେନସନଭୋଗୀ, ବ୍ୟବସାୟୀ ଏବଂ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି କମିଟି ଅଭିଯୋଗ କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଜୟପୁର ସହର କ୍ରମାଗତ ଭାବେ ନିଜର ଗାରିମା ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ହରାଇବାକୁ ବସିଛି। ପୂର୍ବରୁ ଜୟପୁର ଆକାଶବାଣୀ କେନ୍ଦ୍ରର ମର୍ଯ୍ୟାଦା ହ୍ରାସ କରାଯାଇଛି ଏବଂ ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରି ସହରର ଗୁରୁତ୍ୱକୁ କ୍ଷୁଣ୍ଣ କରାଯାଉଛି। ରେଳଷ୍ଟେସନରେ ଥିବା ଆର୍ଏମ୍ଏସ୍ ସେବାକୁ ସହର ଭିତରକୁ ଆଣିବା, ଟାଉନ୍ ବସ୍ ଚଳାଚଳ ତଥା ମ୍ୟୁନିସିପାଲିଟି ଅଧୀନରେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟାଳୟ ଫେରାଇ ଆଣିବା ଭଳି ଜନହିତକର ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ କରୁନାହିଁ ବୋଲି ଅଭିଯୋଗ କରିଛି lଡାକ ବିଭାଗ ନିକଟରେ ଉପସ୍ଥାପିତ ମୁଖ୍ୟ ୩ଟି ଦାବି ଅନୁଯାୟୀ, ଜୟପୁର ମୁଖ୍ୟ ଡାକଘରକୁ ନବରଙ୍ଗପୁର ଡିଭିଜନରେ ସାମିଲ ନକରି ପୂର୍ବଭଳି ଜୟପୁରରେ ହିଁ କୋରାପୁଟ ଡିଭିଜନ ଅଧୀନରେ ରଖାଯାଉ। ଜୟପୁରରେ କାର୍ଯ୍ୟରତ ଡାକ ଡିଭିଜନାଲ୍ କାର୍ଯ୍ୟାଳୟକୁ କୋରାପୁଟ ସ୍ଥାନାନ୍ତର ନକରି ଜୟପୁରରେ ହିଁ ଅକ୍ଷୁଣ୍ଣ ରଖାଯାଉ। ଜୟପୁର ସହରର ତିନୋଟି ଯାକ ଉପ-ଡାକଘର ଶ୍ରୀରାମ ନଗର, ବି.ଡି. ପୁର ଓ ସିଭିଲ୍ କୋର୍ଟ କେବଳ କୋରାପୁଟ ଡିଭିଜନ ଅଧୀନରେ କାର୍ଯ୍ୟ କରିବାକୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ କୋରାପୁଟ ଡିଭିଜନର ବରିଷ୍ଠ ଡାକ ଅଧୀକ୍ଷକଙ୍କୁ ମଧ୍ୟ ଦାବିପତ୍ରର ନକଲ ପ୍ରଦାନ କରାଯାଇଛି। ଜୟପୁର ସହରବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତ୍ତିର ପୁନର୍ବିଚାର ନକଲେ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ି ତୋଳିବାକୁ କମିଟି ଚେତାବନୀ ଦେଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଗରିକ କମିଟିର ସଭାନେତ୍ରୀ ବିନୋଦିନୀ ସାନ୍ତ୍ରାପାତ୍ର, ଉପସଭାପତି ଦେବେନ୍ଦ୍ର ବାହିନୀପତି, ସାଧାରଣ ସମ୍ପାଦକ ଜି. ଭେଙ୍କଟ ରେଡ୍ଡୀ, କୋଷାଧ୍ୟକ୍ଷ ରବିନାରାୟଣ ନନ୍ଦ, ସୁବାଷ ଚନ୍ଦ୍ର ପଣ୍ଡା, ନୀଳାଞ୍ଚଳ ପ୍ରଧାନ, ଭବାନୀ ଚରଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande