ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଭବାନୀପାଟଣା, ୨୫ ଅକ୍ଟୋବର (ହି.ସ.)- ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ ସହ ନିଜ ହେଡକ୍ଵାଟର୍ସରେ ସଜାଗ ରହିବାକୁ ନିର୍ଦ୍ଦେଶ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା, ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ବ
ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ


ଭବାନୀପାଟଣା, ୨୫ ଅକ୍ଟୋବର (ହି.ସ.)- ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ ସହ ନିଜ ହେଡକ୍ଵାଟର୍ସରେ ସଜାଗ ରହିବାକୁ ନିର୍ଦ୍ଦେଶ

:

ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା, ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ନିମନ୍ତେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଆଭାସୀ ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ସମସ୍ତ ବିଭାଗ, ବ୍ଲକ୍ ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସମନ୍ୱିତ ଭାବେ ଆଗୁଆ ପ୍ରସ୍ତୁତି ଗ୍ରହଣ କରିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ପାଣିପାଗ ସମ୍ବନ୍ଧୀୟ ସତର୍କ ସୂଚନା ଜନସାଧାରଣଙ୍କ ନିକଟରେ ସମୟୋପଯୋଗୀ ଭାବେ ପହଞ୍ଚାଇବା ପାଇଁ ମାଇକ୍ ଯୋଗେ ପ୍ରଚାର କରିବା ଏବଂ ପାଣିପାଗ ପରିସ୍ଥିତି ଓ ଆଗୁଆ ପ୍ରସ୍ତୁତି ସମ୍ପର୍କରେ ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ବୈଠକ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ରୀୟ ବନ୍ୟା ପୂର୍ବାନୁମାନ ବିଭାଗ, ଭୁବନେଶ୍ୱର ପକ୍ଷରୁ ଜାରି ପାଣିପାଗ ରିପୋର୍ଟ, ସତର୍କ ସୂଚନା ଓ ବନ୍ୟା ବୁଲେଟିନ୍ କୁ ସମ୍ପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିକଟରେ ତ୍ୱରିତ ପହଞ୍ଚାଇବା ସହ ବର୍ଷାର ନିୟମିତ ରେକର୍ଡ ରଖିବା ଏବଂ ସମୟାନୁସାରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ହେଲ୍ପଲାଇନ୍ ନମ୍ବର ଓ ରୋଷ୍ଟର ଡ୍ୟୁଟି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ, ହେଲ୍ପଲାଇନ୍ ନମ୍ବର ନିର୍ଦ୍ଧାରଣ ଏବଂ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ପର୍ଯ୍ୟାପ୍ତ ପ୍ରଶିକ୍ଷିତ କର୍ମଚାରୀ ଓ ଆବଶ୍ୟକୀୟ ଯୋଗାଯୋଗ ଉପକରଣ ସହ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ ରଖିବା, ସମସ୍ତ ଉପକରଣ ଯାଞ୍ଚ କରିବା ଏବଂ ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ ସ୍ପଷ୍ଟ କରିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ବର୍ଷାଜଳ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ନାଳ ଓ ନର୍ଦ୍ଦମାଗୁଡ଼ିକୁ ଆଗୁଆ ସଫା କରିବା ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବର୍ଷା କିମ୍ବା ବନ୍ୟାଜଳରେ ବୁଡ଼ି ରହିଥିବା ଏବଂ ଜଳପ୍ରବାହ ଯୋଗୁଁ ବିପଦସଙ୍କୁଳ ହୋଇଥିବା ରାସ୍ତା, ପୋଲ ଓ କଲଭର୍ଟଗୁଡ଼ିକର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ବ୍ୟାରିକେଡ୍ ଓ ସତର୍କ ସୂଚନା ଫଳକ ଲଗାଇ ଯାତାୟାତ ନିୟନ୍ତ୍ରଣ କରିବାକୁ କୁହାଯାଇଥିଲା।

ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଦେବା ପାଇଁ ଚିହ୍ନଟ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇ ସମସ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଡିଜି ସେଟ୍, ଶୁଖିଲା ଖାଦ୍ୟ ସାମଗ୍ରୀ, ରୋଷେଇ ପାଇଁ ଗ୍ୟାସ୍ ଏବଂ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ କେସିଙ୍ଗା ବ୍ଲକ୍ ବେଲଖଣ୍ଡି, ଜୁନାଗଡ ବ୍ଲକ କୁଟେ ଗାଁ, କଲମପୁର ବ୍ଲକର ବାଲି ଛଡା, ଜୟପାଟଣା ବ୍ଲକର ରାସ ଡୁମେର ଠାରେ ବହୁମୁଖୀ ଆଶ୍ରୟ କେନ୍ଦ୍ର ସ୍ଥାପନ କରାଯାଇଛି। ଜିଲ୍ଲାରେ ସମସ୍ତ ତହସିଲ ଓ ମ୍ୟୁନିସିପାଲଟିରେ ୧୭୬୬ ଗୋଟି ପଲିଥିନ୍ ବ୍ୟବହାର ପାଇଁ ମହଜୁଦ୍ ରହିଛି। ସମସ୍ତ ପି ଏଚ ସି, ସି ଏଚ ସି, ଏସ ଡି ଏଚ୍, ଡି ଡି ଏଚ୍ ରେ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଓ ଡି ଆର୍ ଏଫ୍ ଦଳ କଳାହାଣ୍ଡିକୁ ପହଞ୍ଚିଯିବ। ବନ୍ୟା ଓ ବାତ୍ୟା ପ୍ରଭାବରେ ବିଭିନ୍ନ ରାସ୍ତା, ପୋଲ, ଘର, ଫସଲ, ପଶୁ ସମ୍ପଦ ଓ ମଣିଷ ଜୀବନ ହାନି ଉପରେ ତତକ୍ଷଣାତ ରିପୋର୍ଟ ପ୍ରେରଣ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ଭାବ୍ୟ ପ୍ରସବ ତାରିଖ ଆଗାମୀ ତିନି ସପ୍ତାହ ମଧ୍ୟରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରଣ କରିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ରାସନ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବଇତୁରା ଦୀପଙ୍କ ସମେତ ଉପ ଜିଲ୍ଲାପାଳ ଧର୍ମଗଡ/ଭବାନୀପାଟଣା, ସି ଡି ଏ ଓ, ସି ଡି ଭି ଓ, ଚିଫ ସି ଏସ ଓ, ଏସ ଇ , ଆର ଏଣ୍ଡ ବି, ଡି ଡି ଏଚ,ଏସ ଇ, ଇରିଗେସନ,ଏସ ଇ ଲିଫ୍ଟ ଇରିଗେସନ୍, ସି ସି ଇ, ୟୁ ଆଇ ଆଇ ପି,ସି ଡି ଏମ ଓ, ସମସ୍ତ ତହସିଲଦାର ଏବଂ ବି ଡି ଓ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande