
ଝାରସୁଗୁଡ଼ା, ୨୫ ଅକ୍ଟୋବର (ହି.ସ.)- ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଉପପୀଠରେ ବିଶାଶହେ କୁଲତା ସମାଜ ପକ୍ଷରୁ ମା' ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀଙ୍କ ବାର୍ଷିକ ପୂଜା ଆଜି ପାଳିତ ହୋଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳି ଧ୍ଵନୀରେ ଗ୍ରାମ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା।
ମହିଳାମାନେ ମା'ଙ୍କ ପୂଜା ପାଇଁ ଖଇ ଓ ଗୁଡ଼ରେ ପ୍ରସ୍ତୁତ ପାରମ୍ପରିକ ଯୁଗାର ଆଣିଥିଲେ। ପଣ୍ଡିତ ରାଜକୁମାର ଦାସଙ୍କ ଦ୍ଵାରା ଷୋଡ଼ଶ ଉପଚାର ପୂଜା ସହ ହୋମ କରାଯାଇ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂଜାରେ ଲେକ୍ଟ ପଧାନ ସପତ୍ନୀକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଅତାବିରା ଉପପୀଠ ଅଧୀନ ୪୦ ମୌଜା କୁଲତା ସମାଜର ବହୁ ମହିଳା ଓ ପୁରୁଷ ଯୋଗଦେଇ ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ଅତାବିରା ଉପପୀଠର ସଭାପତି ରତ୍ନାକର ଖମାରୀ, ଉପସଭାପତି ଲାଲ ସାହେବ ପଧାନ ଓ ହିମାଂଶୁ ଭୂଷଣ ପଧାନ, ସମ୍ପାଦକ ବିଜୟ ବିଶ୍ଵାଳ, ସହସମ୍ପାଦକ ସନ୍ୟାସୀ ପାତ୍ର, କୋଷାଧ୍ୟକ୍ଷ ଫକିର ସାହୁ, ଉପଦେଷ୍ଟା ଗିରିଶ ବିଶ୍ଵାଳ ଓ ଦୟାକର ପଧାନ, ସେବକ ରାମ ଭୋଇ ଓ କ୍ଷମାସାଗର ଭୋଇ, ସ୍ଥାନୀୟ ସରପଞ୍ଚ ସଞ୍ଜିତ ପଧାନଙ୍କ ସମେତ ସମାଜର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ