
ଝାରସୁଗୁଡ଼ା, ୨୫ ଅକ୍ଟୋବର (ହି.ସ.)- ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ପ୍ରବଳ ବର୍ଷା ପରିସ୍ଥିତିର ମୁକାବିଲା ଲାଗି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ 'ଶୂନ୍ୟ ମୃତାହତ' ନୀତିକୁ କଡ଼ାକଡ଼ି ପାଳନ କରି ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲା ଏବଂ ତହସିଲ ସ୍ତରରେ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦିନରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୭, ୨୮ ଏବଂ ୨୯ ତାରିଖରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉପ-ଜିଲ୍ଲାପାଳ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କୁ ବ୍ଲକ ସ୍ତରୀୟ ଟିମ୍ ସହିତ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଲଖନପୁର, କୋଲାବିରା ଏବଂ ଝାରସୁଗୁଡ଼ାର ତଳିଆ ଅଞ୍ଚଳ ଯେଉଁଠାରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି, ସେଠାରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି। ଏହା ସହିତ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଆରକ୍ଷୀ, ଗ୍ରାମ୍ୟ ଜଳଯୋଗାଣ, ପୂର୍ତ୍ତ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ କାର୍ଯ୍ୟାଳୟକୁ ସଜାଗ ରହି ନିୟମିତ ଭାବେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ଯେ, ପରିସ୍ଥିତିକୁ ନେଇ କେହି ଆଦୌ ଆତଙ୍କିତ ନହୋଇ ସତର୍କ ରୁହନ୍ତୁ ଏବଂ କେବଳ ସରକାରୀ ସୂଚନା ତଥା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ