
ମାଲକାନଗିରି , ୨୫ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ଟିଗଲ୍ ଗ୍ରାମ ପଂଚାୟତ ଅନ୍ତର୍ଗତ ତମନପାଲ୍ଲୀ ଠାରେ ଗ୍ରାମୀଣ ମହିଳା ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁନାମ ତମା ଦୋରାଙ୍କ ସ୍ମୃତିରେ ଆୟୋଜିତ ଏହି ଗ୍ରାମୀଣ ମହିଳା ଫୁଟବଲ ଟୁର୍ଣ୍ଣାମେଂଟକୁ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଉଦଘାଟନ କରିଛନ୍ତି ସର୍ବ ପ୍ରଥମେ ମୁଖ୍ୟ ଅତିଥି ଶହୀଦ ସୁନାମ ତମା ଦୋରା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ଘୋଷଣା କରିଥିଲେ। ପରେ ଖେଳାଳୀମାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲେ।
ଏମପିଭି-୪୫ ଗୋପାଳ ୱାରିଅର ମହିଳା ଦଳ ଏବଂ ମା' ମୁଥ୍ୟାଲମ୍ମା ମାଲାଭରମ ମହିଳା ଦଳ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ଏହି ମ୍ୟାଚରେ ଗୋପାଳ ୱାରିଅର ଦଳ ୨-୦ ଗୋଲରେ ବିଜୟୀ ହୋଇଛି। ଖେଳ ପଡିଆରେ ପ୍ରାୟ ୫ ହଜାରରୁ ଅଧିକ ଫୁଟବଲ ପ୍ରେମୀଙ୍କ ଭିଡ ଜମିଥିଲା, ମହିଳା ଖେଳାଳୀମାନଙ୍କୁ ଦର୍ଶକମାନେ କରତାଳି ମାରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ବରିଷ୍ଠ ନେତା ଡ଼. କାମରାଜ କବାସୀ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା, ଯୁବ ନେତା ସଚିନ୍ଦ୍ର ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଆୟୋଜନକୁ ଟୁର୍ଣ୍ଣାମେଂଟ ପରିଚାଳନା କମିଟି ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ