
ଜୟପୁର, ୨୬ ଅକ୍ଟୋବର (ହି.ସ.)- କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବଢ଼ୁଛି ରାଜନୈତିକ ଛକାପଞ୍ଝା । ନିର୍ବାଚନ ତାରିଖ ଘୋଷଣା ପରେ ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ରର ତତ୍ପରତା ଦେଖିବାକୁ ମିଳିଛି । ଆସନ୍ତା ୩ ତାରିଖରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ହରମାଣ୍ଡିଙ୍ଗି, ଉପର ସେମ୍ବି, ତଳ ସେମ୍ବି, ଧୁଳିପଦର ଏହି ସବୁ ଗାଁରେ ଯୁଦ୍ଧକାଳୀନ ଭିତ୍ତିରେ ମାଗଣା ସୋଲାର ସିଷ୍ଟମ୍ ଲଗାଯାଉଛି । ଏହାକୁ ନେଇ ରାଜ୍ୟ ସରକାର ଓ ବିରୋଧୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ପୂର୍ବରୁ ଏଭଳି ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ରଣନୀତି ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଚୁପ୍ ରହି ଆନ୍ଧ୍ରକୁ ପ୍ରଶୟ ଦେଉଛି । କେବଳ ଫମ୍ପା ଭାଷଣ ଓ ଅଫିସରଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇ ମୋହନ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିରୋଧୀ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । ଓଡ଼ିଶାର ଡବଲ ଇଞ୍ଜିନ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପୁରା ଚୁପ୍ ।
ଅଧିକାରୀଙ୍କୁ ପଠାଇ ମନ୍ତ୍ରୀ, ବିଧାୟକ ଫମ୍ପା ଭାଷଣ ମାରୁଛନ୍ତି। ତେଣେ ନିର୍ବାଚନ ପୂର୍ବରୁ ଆନ୍ଧ୍ର ବାଣ୍ଟି ଚାଲିଛି ମାଗଣା ସୋଲାର ସିଷ୍ଟମ। ଓଡ଼ିଶାର ଡବଲ ଇଞ୍ଜିନ ସରକାର ଏ ପ୍ରସଙ୍ଗରେ ଏକଦମ୍ ଚୁପ୍ ରହୁଛି । ଆନ୍ଧ୍ର ସରକାରକୁ ତାଗିଦ କିମ୍ବା ବିରୋଧ କରିବା ଲାଗି ସାହାସ କରିପାରୁ ନାହିଁ । ସେପଟେ କୋଟିଆର ସୀମାନ୍ତ ଗାଁରେ ପହଞ୍ଚିଛି ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ । ଲୋକଙ୍କୁ ବୁଝାଇବା ସହ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନରେ ସାମିଲ ନହେବାକୁ ସଚେତନ କରାଇଛନ୍ତି । କେତେକ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ଫଳକକୁ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏପଟେ କୋଟିଆକୁ ବାରମ୍ବାର ସରକାରୀ ଅଧିକାରୀ ଗସ୍ତ କରୁଥିବା ସତ୍ତ୍ୱେ ଆନ୍ଧ୍ରର ଗତିବିଧି ରୋକିବାକୁ ଦୃଢ଼ ପଦକ୍ଷେପ କାହିଁକି ନିଆଯାଉନାହିଁ, ସେଥି ପ୍ରତି ତୁରନ୍ତ ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ । ହେଲେ ଡବଲ ଇଞ୍ଜିନ ସରକାର କାହିଁକି ଆନ୍ଧ୍ର ସରକାରଙ୍କୁ ବିରୋଧ କରୁନାହାନ୍ତି କି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖୁନାହାନ୍ତି, ତାକୁ ନେଇ ଚର୍ଚ୍ଚା ଚାଲିଛି । ମନ୍ତ୍ରୀ, ବିଧାୟକଙ୍କ ଭୂମିକାକୁ ନେଇ ସମାଲୋଚନା କରାଯାଇଛି । ଅଧିକାରୀଙ୍କ ଉପରେ ଦାୟିତ୍ୱ ଲଦି ସରକାର ଚୁପ୍ ବସି ଭାଷଣ ମାରିବା
ସମସ୍ତଙ୍କୁ ଚକିତ କରିଛି । ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ କୋଟିଆ ଗସ୍ତ କରି ବିଭିନ୍ନ ବିବାଦୀୟ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ନାମଫଳକକୁ ଭାଙ୍ଗି ଉପାଡ଼ି ଦେଇଥିଲେ । କିନ୍ତୁ ୨୪ ଘଣ୍ଟା ନପୂରୁଣୁ ଆନ୍ଧ୍ରର ସାଲୁର ତହସିଲଦାର ଓ ମଣ୍ଡଳ ଅଧିକାରୀ କୋଟିଆରେ ପହଞ୍ଚି ପୁଣି ଫଳକଟିକୁ ପୋତିଥିବା ଦେଖିବାକୁ ମିଳିଛି । ଆନ୍ଧ୍ର ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି । ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଉଦ୍ୟମ ଆରମ୍ଭ କରିଛନ୍ତି । ଏପଟେ କୋରାପୁଟ ଉପଜିଲ୍ଲାପାଳ
କୋଟିଆରେ ରାତ୍ରିଯାପନ କରିବା ସହ ବିବାଦୀୟ ଗାଁଗୁଡ଼ିକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସଚେତନ କରିଥିଲେ ।
ଅନ୍ୟପଟେ ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ସର୍ବଦଳୀୟ ନେତାମାନେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ତାହାକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଆନ୍ଧ୍ର ପ୍ରଶାସନ ବିରୋଧରେ କୋରାପୁଟ ଜିଲ୍ଲାପାଳ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେଡି
ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ ଯୁଦ୍ଧ ଜୋର ଧରିଛି । ଦୀର୍ଘଦିନର କୋଟିଆ ବିବାଦର ସମାଧାନ କେବେ ହେବ ଏବଂ ରାଜ୍ୟ ସରକାର ଏ ଦିଗରେ କି ପଦକ୍ଷେପ ନେବେ, ଏବେ ତାହା ଉପରେ ସମସ୍ତଙ୍କ ନଜର । ସବୁ ରାଜନୈତିକ ଦଳ ଏକାଠି ହେବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । କୋଟିଆର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରତିନିଧି ଦଳ ପଠାଇବାର ନୈତିକ ଅଧିକାର ରହିଛି ବୋଲି ସେ କହିଛନ୍ତି । ଏହା କୌଣସି ଗୋଟିଏ ଦଳର ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଅନ୍ୟପଟେ, କୋଟିଆକୁ ନେଇ ସବୁ ରାଜନୈତିକ ଦଳକୁ ଏକାଠି କରିବା ପାଇଁ ବିଚାରବିମର୍ଶ ଚାଲିଥିବା ବିଜେପି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି । ସର୍ବଦଳୀୟ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗରେ ଏକ ସାମୂହିକ ଆଭିମୁଖ୍ୟ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ କୋଟିଆରେ ଆନ୍ଧ୍ର ନିର୍ବାଚନ କରୁଥିବା ବେଳେ କିପରି ରାଜ୍ୟ ସରକାର ତାହାର ମୁକାବିଲା କରିବ ତାହା ଉପରେ ଜିଲା ବାସୀଙ୍କ ନଜର ରହିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି