ଓପିଜିସି ପାଉଁଶ ପରିବହନ ଟେଣ୍ଡରକୁ ନେଇ ବିବାଦ, ଯୋଗ୍ୟତା ମାନଦଣ୍ଡରେ ବଡ଼ ସଂସ୍ଥାଙ୍କୁ ଅଗ୍ରାଧିକାର ଅଭିଯୋଗ
Irregularities-tender-OPGC-JHS
ଓପିଜିସି ପାଉଁଶ ପରିବହନ ଟେଣ୍ଡରକୁ ନେଇ ବିବାଦ, ଯୋଗ୍ୟତା ମାନଦଣ୍ଡରେ ବଡ଼ ସଂସ୍ଥାଙ୍କୁ ଅଗ୍ରାଧିକାର ଅଭିଯୋଗ


ଝାରସୁଗୁଡ଼ା, ୨୭ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି)ର ପାଉଁଶ ପରିବହନ ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଛି। ଚଳିତ ବର୍ଷ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ମାନଦଣ୍ଡକୁ କଡ଼ାକଡ଼ି କରି ବଡ଼ ବଡ଼ ଠିକା ସଂସ୍ଥାଙ୍କୁ ସୁହାଇବା ଭଳି ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ଉଠିଛି। ଏହାଦ୍ୱାରା ପୂର୍ବରୁ ପାଉଁଶ ପରିବହନ କାର୍ଯ୍ୟ କରୁଥିବା ସ୍ଥାନୀୟ ଠିକାଦାର ଓ ଜିଲ୍ଲାର ଅନ୍ୟ ସଂସ୍ଥାଗୁଡ଼ିକ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଓପିଜିସି ପକ୍ଷରୁ ପ୍ରତିବର୍ଷ ପାଉଁଶ ପରିବହନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ। ପୂର୍ବରୁ ଟେଣ୍ଡରରେ ଅଂଶଗ୍ରହଣ କରିବା ପାଇଁ ୫ କୋଟି ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାରଙ୍କୁ ଯୋଗ୍ୟ ବିବେଚନା କରାଯାଉଥିଲା। ଏଥିସହ ଟେଣ୍ଡର ସମ୍ପର୍କିତ ବିସ୍ତୃତ ସୂଚନା ଏମ୍ଏସ୍ଟିସି ଏବଂ ଜିଇଏମ୍ ପୋର୍ଟାଲରେ ଉପଲବ୍ଧ ହେଉଥିଲା। ତେବେ ଚଳିତ ବର୍ଷ ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ଅକ୍ଟୋବର ୫ ତାରିଖରେ ଟେଣ୍ଡର ଓଡ଼ିଶା ପୋର୍ଟାଲରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଜଣାପଡ଼ିଛି। ନୂତନ ମାନଦଣ୍ଡ ଅନୁଯାୟୀ, ବାର୍ଷିକ ସର୍ବନିମ୍ନ ୪୦ କୋଟି ଟଙ୍କାର କାର୍ଯ୍ୟ ସମ୍ପାଦନ କରିଥିବା କିମ୍ବା ପାଉଁଶ ପରିବହନ କ୍ଷେତ୍ରରେ ୨.୫ ଲକ୍ଷ ଟନ୍ ପାଉଁଶ ପରିବହନ କରିଥିବା ଠିକାଦାରମାନେ ଟେଣ୍ଡର ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଉଲ୍ଲେଖ ରହିଛି।

ଏହି ମାନଦଣ୍ଡ ଯୋଗୁଁ ପୂର୍ବରୁ ଓପିଜିସିର ପାଉଁଶ ପରିବହନ କାର୍ଯ୍ୟରେ ନିୟୋଜିତ ଅନେକ ସ୍ଥାନୀୟ ଠିକା ସଂସ୍ଥା ନୂତନ ଟେଣ୍ଡରରେ ଭାଗ ନେବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଠିକାଦାରଙ୍କ ଜୀବିକା ଓ ରୋଜଗାର ଉପରେ ପ୍ରଭାବ ପଡ଼ିବା ସହ ଜିଲ୍ଲାର ଛୋଟ ଓ ମଧ୍ୟମ ଠିକା ସଂସ୍ଥାଗୁଡ଼ିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷରେ, ଟେଣ୍ଡର ଦାଖଲର ଶେଷ ତାରିଖ ପ୍ରଥମେ ଅକ୍ଟୋବର ୨୪ ରଖାଯାଇଥିବା ବେଳେ ପରେ ଏହାକୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟେଣ୍ଡରର ଯୋଗ୍ୟତା ମାନଦଣ୍ଡରେ ଏଭଳି ପରିବର୍ତ୍ତନ କରିବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ଠିକାଦାର ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରକ୍ରିୟାରେ କୌଣସି ରାଜନୈତିକ ଚାପ କାମ କରୁଛି କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଏ ସମ୍ପର୍କରେ ଓପିଜିସିର ମାନବ ସମ୍ବଳ ଅଧିକାରୀ ହିମାଂଶୁ ବେହେରାଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ତେଣୁ ଟେଣ୍ଡରର ନୂତନ ମାନଦଣ୍ଡ ପଛରେ ଥିବା ଯୁକ୍ତି ଓ ସ୍ଥାନୀୟ ଠିକାଦାରଙ୍କ ଅଭିଯୋଗ ଉପରେ ଓପିଜିସି କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande