ଏନ୍ଏଚ୍-୪୯ରେ ବେଆଇନ ବର୍ଜ୍ୟ ପରିବହନ ଅଭିଯୋଗ : କୋଲାବିରା ରାସ୍ତାରେ ବର୍ଜ୍ୟଗୁଣ୍ଡର ଆସ୍ତରଣ, ଧୂଳିରେ ଅତିଷ୍ଠ ଲୋକେ
Pollution-ash-transport-JHS
ଏନ୍ଏଚ୍-୪୯ରେ ବେଆଇନ ବର୍ଜ୍ୟ ପରିବହନ ଅଭିଯୋଗ


ଝାରସୁଗୁଡା, ୨୭ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏକ ବୃହତ୍ କାରଖାନାରୁ ବର୍ଜ୍ୟଗୁଣ୍ଡ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳକୁ ଜାତୀୟ ରାଜପଥ ନମ୍ବର ୪୯ ଦେଇ କୋଲାବିରା ମାର୍ଗରେ ବେଆଇନ ଭାବେ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ୫୦ରୁ ଊର୍ଦ୍ଧ୍ୱ ଭାରୀଯାନରେ ଏହି ବର୍ଜ୍ୟଗୁଣ୍ଡ ପରିବହନ କରାଯାଉଥିବା ବେଳେ ନିୟମ ଉଲ୍ଲଂଘନ କରି ଖୋଲା ଡାଲା ହାଇୱାରେ କେବଳ ପାଳ ଘୋଡ଼ାଇ ନିଆଯାଉଥିବା ଅଭିଯୋଗ ଉଠିଛି। ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଜ୍ୟଗୁଣ୍ଡ ଗଦା ହୋଇ ପଡ଼ିବା ସହ ପବନରେ ଉଡ଼ି ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

ବର୍ଜ୍ୟଗୁଣ୍ଡ ଉଡ଼ିବା ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସମେତ ରାସ୍ତାକଡ଼ରେ ଦୋକାନ କରିଥିବା ବ୍ୟବସାୟୀମାନେ ମଧ୍ୟ ଅତିଷ୍ଠ ହୋଇପଡ଼ିଛନ୍ତି। କୋଲାବିରା ନିକଟସ୍ଥ ବଡ଼ବାହାଲ ଛକରେ ପ୍ରବୀର ପଟେଲଙ୍କ ଦୋକାନ ସମ୍ମୁଖରେ ବର୍ଜ୍ୟଗୁଣ୍ଡ ଗଦା ହୋଇ ରହିଥିବା ବେଳେ ପବନରେ ଏହା ଉଡ଼ି ଦୋକାନ ଭିତରକୁ ପଶୁଥିବା ସେ ଅଭିଯୋଗ କରିଛନ୍ତି। ସୋମବାର ସକାଳେ ଅନ୍ୟ କୌଣସି ଉପାୟ ନପାଇ ପ୍ରବୀର ନିଜେ ପାଇପ୍ ଯୋଗେ ରାସ୍ତା ଉପରେ ପାଣି ଛିଞ୍ଚି ବର୍ଜ୍ୟଗୁଣ୍ଡ ସଫା କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳର ଦୋକାନୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ନିୟମ ଉଲ୍ଲଂଘନ କରି ବର୍ଜ୍ୟ ପରିବହନ ଯୋଗୁଁ ରାସ୍ତା ପ୍ରଦୂଷିତ ହେବା ସହ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ କାରଖାନା ଓ ବର୍ଜ୍ୟ ପରିବହନରେ ନିୟୋଜିତ ଯାନବାହନ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତୁରନ୍ତ ବର୍ଜ୍ୟ ପରିବହନ ବନ୍ଦ କରାନଗଲେ ରାସ୍ତା ଉପରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande