ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ
All party meeting at Sub collector office
ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ


ଝାରସୁଗୁଡ଼ା, ୨୮ ଅକ୍ଟୋବର (ହି.ସ.):ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଗାମୀ ନିର୍ବାଚନ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ଓ ପଞ୍ଚାୟତ ସ୍ତରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ସେନ ରାୟ, ବିଜେଡି ସାଧାରଣ ସମ୍ପାଦକ ରଘୁ ନନ୍ଦନ ପାଢ଼ୀ, କଂଗ୍ରେସ ସାଧାରଣ ସମ୍ପାଦକ ମନୀଷ ବାଜପେୟୀ ଏବଂ ବିଏସପି ଜିଲ୍ଲା ସମ୍ପାଦକ ଅଲେନ୍ଦ୍ର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସର୍ଭେ ପ୍ରକ୍ରିୟାରେ ପ୍ରଶାସନ ତରଫରୁ ଘରକୁ ଘର ବୁଲି ସ୍ୱତନ୍ତ୍ର ଯାଞ୍ଚ କରାଯାଉଛି। ଏଥିରେ ବିଶେଷ କରି ନୂତନ ଓ ଯୁବ ଭୋଟରଙ୍କ ନାମ ଯୋଗ କରିବା, ସ୍ଥାନ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କ ଠିକଣା ସଂଶୋଧନ ଏବଂ ମୃତ ବା ସ୍ଥାୟୀ ଭାବେ ଚାଲିଯାଇଥିବା ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା କାର୍ଯ୍ୟ ଜାରି ରହିଛି। ଏହି ପ୍ରକ୍ରିୟାକୁ ସଠିକ୍ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପୌରପାଳିକା ନିର୍ବାହୀ ଅଧିକାରୀ ଏବଂ ବିଡିଓ ମାନଙ୍କୁ ସକ୍ରିୟ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ ଉପସ୍ଥିତ ଥିଲେ। ଏକ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସାଧାରଣ ଜନତା ମଧ୍ୟ ନିଜ ସ୍ତରରେ ଯାଞ୍ଚ କରି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande