
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.)
ଝାରସୁଗୁଡ଼ା, ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଆରମ୍ଭ ହୋଇଥିବା ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଅନ୍ତର୍ଗତ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ବିଧାୟକ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସଚିନ ଯାଦବ ଆଜି ଝାରସୁଗୁଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷା ଓ ମତଦାତାଙ୍କ ଅଧିକାର ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅଭିଯାନ ଅଧୀନରେ ଯାଦବ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲା ଅଞ୍ଚଳ ଗସ୍ତ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ସହ ନାଗରିକଙ୍କ ମତଦାନ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀ ସହ ଆୟୋଜିତ କର୍ମୀ ସମ୍ମିଳନୀରେ ଶ୍ରୀ ଯାଦବ କହିଥିଲେ ଯେ, ଭୋଟ କେବଳ ଏକ ଅଧିକାର ନୁହେଁ, ଏହା ଗଣତନ୍ତ୍ରର ଆତ୍ମା। ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା କରିବା ଏବଂ ସମ୍ବିଧାନର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ୱ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ସାଂଗଠନିକ ସ୍ତରରେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଜନଜାଗରଣ ଅଭିଯାନକୁ ଅଧିକ ବ୍ୟାପକ ଓ ଶକ୍ତିଶାଳୀ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହେବାକୁ ସେ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ରାଜ୍ୟ ସାଧାରଣ ସମ୍ପାଦିକା ଅମିତା ବିଶ୍ୱାଳ, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ପଣ୍ଡା ଓ ସମ୍ପାଦକ ଇକବାଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି କର୍ମୀ ସମ୍ମିଳନୀରେ ଭରତ ଅବସ୍ତି, ସିଆରାମ ଦାସ, ସଞ୍ଜୟ ମହାପାତ୍ର, ପ୍ରଶାନ୍ତ ତ୍ରିପାଠୀ, ୱାରିଶ ଚାଚା, ରିୟାଜ ହୁସେନ, ଆରତ ବେନିଆ, ଡୋଲମଣି ମହାନନ୍ଦ, ପ୍ରଶାନ୍ତ ପାତ୍ର, ରମା ମେଷରାମ ଓ ଦେବାନନ୍ଦ ବାରିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ