
ଡିସେମ୍ବର ୩୧ରୁ ଜାନୁଆରୀ ୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.) ଜନଜାତି ଯୁବକଯୁବତୀଙ୍କ କ୍ରୀଡ଼ା ପ୍ରତିଭାକୁ ଜାତୀୟ ସ୍ତରରେ ପରିଚିତ କରାଇବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ୨୫ତମ ଅଖିଳ ଭାରତୀୟ ବନବାସୀ କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ୨୦୨୬ ଡିସେମ୍ବର ୩୧ରୁ ୨୦୨୭ ଜାନୁଆରୀ ୩ ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ୩୯ଟି ରାଜ୍ୟ ଓ ପ୍ରାନ୍ତୀୟ ଏକକ ସମେତ ନେପାଳରୁ ପ୍ରାୟ ୮୦୦ ଜନଜାତି ବାଳକବାଳିକା ଅଂଶଗ୍ରହଣ କରିବେ। ଏହା ସହିତ ପ୍ରାୟ ୨୦୦ ପ୍ରଶିକ୍ଷକ ଓ ଆୟୋଜକ ଏଥିରେ ସହଯୋଗ କରିବେ।
ବନବାସୀ କଲ୍ୟାଣ ଆଶ୍ରମର ଓଡିଶା ପ୍ରଦେଶର ଉପସଭାପତି ତଥା ଅଖିଳ ଭାରତୀୟ କ୍ରୀଡ଼ା ପ୍ରତିଯୋଗିତାର ସ୍ୱାଗତ ସମିତି ଅଧ୍ୟକ୍ଷ ସଞ୍ଜୟ ଲାଠ ଓ ଅନ୍ୟ ପଦାଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଏହାଦ୍ୱାରା ବିଭିନ୍ନ ରାଜ୍ୟର ଜନଜାତି ଖେଳାଳି ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କଠାରୁ ଶିଖିବାର ସୁଯୋଗ ପାଇବେ।
କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ୨୯ରେ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ। ଡିସେମ୍ବର ୩୦ରେ ପଞ୍ଜୀକରଣ ଓ ପରେଡ୍ ଅଭ୍ୟାସ କରାଯିବ। ଡିସେମ୍ବର ୩୧ରେ ଉଦ୍ଘାଟନୀ ସମାରୋହ ସହ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ୨୦୨୭ ଜାନୁଆରୀ ୩ରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ। ଆୟୋଜକଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ କିମ୍ବା ଉଦ୍ଯାପନୀ ସମାରୋହରେ ଯୋଗଦେବାର ସମ୍ଭାବନା ରହିଛି। ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ ହଜାର ଜନଜାତି ଲୋକ ଯୋଗଦେବା ଆଶା କରାଯାଉଛି।
ତୀରନ୍ଦାଜୀ, ମାରାଥନ ଓ ଦୌଡ଼କୁଦ ପ୍ରତିଯୋଗିତା
ଏହି କ୍ରୀଡ଼ା ମହୋତ୍ସବରେ ତୀରନ୍ଦାଜୀ, ମାରାଥନ ଓ ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ତୀରନ୍ଦାଜୀରେ ସବ୍ଜୁନିୟର ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଭାଗ ନେବେ।
ମାରାଥନରେ ବାଳକଙ୍କ ପାଇଁ ୨୧ କିଲୋମିଟର ଓ ୪୨.୧୯୫ କିଲୋମିଟର ଦୌଡ଼ ରହିଥିବା ବେଳେ ବାଳିକାଙ୍କ ପାଇଁ ୭ କିଲୋମିଟର ଓ ୧୪ କିଲୋମିଟର ଦୌଡ଼ ଆୟୋଜିତ ହେବ।
ସବ୍ଜୁନିୟର ବାଳକ ଓ ବାଳିକା ବର୍ଗରେ ୧୦୦, ୪୦୦ ଓ ୮୦୦ ମିଟର ଦୌଡ଼ , ୪×୧୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଳାଫିଙ୍ଗା ପ୍ରତିଯୋଗିତା ହେବ। ଜୁନିୟର ବାଳକ ବର୍ଗରେ ୧୦୦, ୪୦୦, ୮୦୦ ଓ ୩,୦୦୦ ମିଟର ଦୌଡ଼ ସହ ୪×୪୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଳାଫିଙ୍ଗା ଅନୁଷ୍ଠିତ ହେବ। ସେହିପରି ଜୁନିୟର ବାଳିକା ବର୍ଗରେ ୧୦୦, ୨୦୦, ୪୦୦ ଓ ୧,୫୦୦ ମିଟର ଦୌଡ଼, ୪×୧୦୦ ମିଟର ରିଲେ, ଲମ୍ବଡିଆଁ ଓ ଗୋଳାଫିଙ୍ଗା ପ୍ରତିଯୋଗିତା ହେବ।
ଜିଲ୍ଲାରୁ ଜାତୀୟ ସ୍ତରକୁ ଖେଳାଳି ଚୟନ
ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଅତୁଲ ଜୋଗ କହିଛନ୍ତି ଯେ, ସଂଗଠନର ୩୯ଟି ପ୍ରାନ୍ତୀୟ ଏକକରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରଥମେ ଜିଲ୍ଲାସ୍ତରରେ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ପ୍ରତିଭା ଚିହ୍ନଟ କରାଯାଏ। ଏଥିରେ ଉନ୍ନତ ପ୍ରଦର୍ଶନ କରୁଥିବା ଖେଳାଳିମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଆନ୍ତି। ରାଜ୍ୟସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଏ।
ସେ କହିଛନ୍ତି ଯେ, ବନବାସୀ କଲ୍ୟାଣ ଆଶ୍ରମ ପ୍ରତିବର୍ଷ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥାଏ। ଜନଜାତି ଅଞ୍ଚଳରେ ଥିବା ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ସଞ୍ଜୟ ଲାଠ କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଅନ୍ୟ କ୍ରୀଡ଼ା ସଂସ୍ଥାର ଅଧିକାରୀମାନେ ଯୋଗଦେବାର ସମ୍ଭାବନା ରହିଛି। ଏହାଦ୍ୱାରା ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବାର ସୁଯୋଗ ମିଳିପାରିବ। ଉପଯୁକ୍ତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ମିଳିଲେ ଏହି ଯୁବ ଖେଳାଳିମାନେ ଭବିଷ୍ୟତରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିବାର କ୍ଷମତା ହାସଲ କରିପାରିବେ।
କ୍ରୀଡ଼ା ଭାବନା ଓ ଜାତୀୟ ଏକତାକୁ ଗୁରୁତ୍ୱ
ଆୟୋଜକଙ୍କ କହିବା ଅନୁଯାୟୀ, ଏହି ପ୍ରତିଯୋଗିତା ଜନଜାତି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବ। ବିଭିନ୍ନ ରାଜ୍ୟ ଓ ନେପାଳରୁ ଆସୁଥିବା ଖେଳାଳିଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ, ଭାଇଚାରା ଓ କ୍ରୀଡ଼ା ମନୋଭାବକୁ ମଧ୍ୟ ଏହା ମଜବୁତ କରିବ। ଏକ ମଞ୍ଚରେ ଏକାଠି ହେବା ଦ୍ୱାରା ଖେଳାଳିମାନେ ପରସ୍ପରଠାରୁ ଶିଖିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତାର ଅଭିଜ୍ଞତା ହାସଲ କରିପାରିବେ।
ଏହି ଅବସରରେ ପ୍ରତିଯୋଗିତା ପାଇଁ ଗଠିତ ସ୍ୱାଗତ ସମିତିର ସଦସ୍ୟମାନଙ୍କ ପରିଚୟ ମଧ୍ୟ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଅତୁଲ ଜୋଗ, ଅଖିଳ ଭାରତୀୟ ସହ-ବ୍ୟବସ୍ଥା ପ୍ରମୁଖ ବିଜୟ କୁମାର ଜୀ ଏବଂ ଓଡ଼ିଶା କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି ଯେ, ଭୁବନେଶ୍ୱରରେ ହେବାକୁ ଥିବା ଏହି ଜାତୀୟ ପ୍ରତିଯୋଗିତା ଜନଜାତି ଖେଳାଳିଙ୍କ ପ୍ରତିଭାକୁ ଆଗକୁ ଆଣିବା ସହ ସେମାନଙ୍କୁ ଉନ୍ନତ ସୁଯୋଗ ଯୋଗାଇଦେବ। ଏହା ସହିତ ଦେଶର ବିଭିନ୍ନ ଅଞ୍ଚଳର ଖେଳାଳିଙ୍କ ମଧ୍ୟରେ ଏକତା, ସହଯୋଗ ଓ କ୍ରୀଡ଼ା ଭାବନାକୁ ସୁଦୃଢ଼ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ