
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - ରାଜ୍ୟରେ ନବସୃଜନ ଓ ଉଦ୍ୟୋଗିକତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ଜନସେବା କ୍ଷେତ୍ରର ବିଭିନ୍ନ ସମସ୍ୟାର ନୂତନ ସମାଧାନ ଖୋଜିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଉଦ୍ୟମରେ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ ତୃଣମୂଳସ୍ତରର ନବସୃଜନକାରୀମାନଙ୍କୁ ସମାଜରେ ରହିଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରି ତାହାର ନୂତନ, ବ୍ୟବହାରିକ ଓ ସ୍ଥାୟୀ ସମାଧାନ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହାଦ୍ୱାରା ଯୁବପିଢ଼ିଙ୍କ ସୃଜନଶୀଳ ଚିନ୍ତାଧାରାକୁ ଜନକଲ୍ୟାଣମୂଳକ କାର୍ଯ୍ୟରେ ଉପଯୋଗ କରିବା ସହ ନୂତନ ଉଦ୍ଭାବନକୁ ବାସ୍ତବ ରୂପ ଦେବା ଲକ୍ଷ୍ୟ ରଖାଯାଇଛି।
ଏହି ଆହ୍ୱାନରେ ମନୋନୀତ ଶ୍ରେଷ୍ଠ ପ୍ରସ୍ତାବଗୁଡ଼ିକୁ ନଗଦ ପୁରସ୍କାର, ବିଶେଷଜ୍ଞଙ୍କ ମାର୍ଗଦର୍ଶନ ସହ ପ୍ରୋଟୋଟାଇପ୍ ନିର୍ମାଣ ନିମନ୍ତେ ବୈଷୟିକ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। ଏହି ଅଭିଯାନରେ ପ୍ରାୟ ୨୦୦ ଜଣ ମହିଳା, ଯୁବବର୍ଗ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଅଜୟ କୁମାର ମହାନ୍ତ, ଦକ୍ଷତା ବିକାଶ ବିଭାଗର ଉପନିର୍ଦ୍ଦେଶକ ଗଣେଶ୍ୱର ନାଏକ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ହୀରାଲାଲ ମହାମଲିକ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ପବିତ୍ର ମୋହନ ବାରା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମିଧା ପାଢ଼ୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA