ଜିଏସ୍ଏଲଭି-ଏଫ୍୧୮ ମିଶନର ସଫଳ ଉତକ୍ଷେପଣ ପାଇଁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ରୋ ଟିମକୁ ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ, ୩୧ ଅକ୍ଟୋବର (ହି.ସ.)। ଜିଏସ୍ଏଲ୍ଭି-ଏଫ୍୧୮ ମିଶନର ସଫଳ ଉତ୍କ୍ଷେପଣ ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଟିମ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଉପରାଷ
इसरो से तस्वीरें


ନୂଆଦିଲ୍ଲୀ, ୩୧ ଅକ୍ଟୋବର (ହି.ସ.)। ଜିଏସ୍ଏଲ୍ଭି-ଏଫ୍୧୮ ମିଶନର ସଫଳ ଉତ୍କ୍ଷେପଣ ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଟିମ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଉପରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, ଜିଏସ୍ଏଲ୍ଭି-ଏଫ୍୧୮ ମିଶନ ମାଧ୍ୟମରେ ଏନ୍ଭିଏସ୍-୦୩ ନାଭିଗେସନ୍ ଉପଗ୍ରହକୁ ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଛି। ଏହି ସଫଳତା ଭାରତର ସ୍ୱଦେଶୀ 'ନାଭିକ୍' ନାଭିଗେସନ୍ ବ୍ୟବସ୍ଥାକୁ ମଜବୁତ କରିବା ସହ ଉପଗ୍ରହ ଆଧାରିତ ନାଭିଗେସନ୍ କ୍ଷମତାକୁ ବୃଦ୍ଧି କରିଛି। ଏହା ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଦେଶର ବଢ଼ୁଥିବା କ୍ଷମତାକୁ ପ୍ରଦର୍ଶିତ କରୁଛି। ଭାରତର ମହାକାଶ ଯାତ୍ରାରେ ଆଗକୁ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ଇସ୍ରୋ ଟିମ୍କୁ ଅନେକ ଅନେକ ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ମିଶନ ସ୍ୱଦେଶୀ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା 'ନାଭିକ୍'କୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଧିକ କ୍ଷମତାସମ୍ପନ୍ନ ଏନ୍ଭିଏସ୍-୦୩ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଆମର ପ୍ରୟାସକୁ ଆଗକୁ ବଢ଼ାଇବା ସହ ଦେଶବାସୀଙ୍କୁ ଉପକୃତ କରୁଥିବା ନାଭିଗେସନ୍ ସେବାରେ ସହାୟକ ହେବ। ଭାରତୀୟ ମହାକାଶ ବୈଜ୍ଞାନିକଙ୍କ ସମର୍ପଣ ଓ ଦୂରଦର୍ଶିତା ଲଗାତାର ଦେଶକୁ ଗର୍ବିତ କରୁଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏହି ସଫଳତା ରଣନୈତିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର କ୍ଷମତାକୁ ଆଗକୁ ବଢ଼ାଇବ। ଏହା ନବସୃଜନ ଓ ବୈଷୟିକ ଆତ୍ମନିର୍ଭରଶୀଳତା ଦ୍ୱାରା ପ୍ରେରିତ 'ଆତ୍ମନିର୍ଭର ଭାରତ'ର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଏହି ମିଶନର ସଫଳତା ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସମର୍ପଣ, ଦୂରଦର୍ଶିତା ଏବଂ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ଏହି ସଫଳତା ଭାରତର ସ୍ୱଦେଶୀ 'ନାଭିକ୍' ନାଭିଗେସନ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବୈଷୟିକ ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବା ଏବଂ ନାଭିଗେସନ୍ କ୍ଷମତାରେ ଉନ୍ନତି ଆଣିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ମହାକାଶ କ୍ଷେତ୍ର ସହ ଜଡ଼ିତ ବୈଜ୍ଞାନିକ ଓ କର୍ମଚାରୀଙ୍କ ଅସାଧାରଣ ସମର୍ପଣ, ନବସୃଜନ ଏବଂ ବୈଜ୍ଞାନିକ ଉତ୍କର୍ଷତା ଲଗାତାର ବିଶ୍ୱସ୍ତରରେ ଭାରତର ସମ୍ମାନ ବୃଦ୍ଧି କରୁଛି ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଉଛି।

ଅନ୍ୟପକ୍ଷରେ, ଶୁକ୍ରବାର କେନ୍ଦ୍ରୀୟ ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ଉଲ୍ଲେଖନୀୟ ସଫଳତା ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ବଢ଼ୁଥିବା କ୍ଷମତା ଏବଂ ନିଜର ସ୍ୱଦେଶୀ ନାଭିଗେସନ୍ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଦେଶର ଦୃଢ଼ ସଂକଳ୍ପକୁ ଦର୍ଶାଉଛି। ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଆଣିଥିବା ବୈପ୍ଳବିକ ସଂସ୍କାର ଯୋଗୁଁ ମହାକାଶ କ୍ଷେତ୍ରରେ ଭାରତର ସଫଳତା ଦେଶର ପ୍ରତିଷ୍ଠାତା ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କ ସ୍ୱପ୍ନକୁ ସାକାର କରୁଛି। ଆଜି ଭାରତ ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ ପାଳନ କରିବାର ଦିନ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ଶୁକ୍ରବାର) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ତୃତୀୟ ପିଢ଼ିର ନାଭିଗେସନ୍ ଉପଗ୍ରହ ଏନ୍ଭିଏସ୍-୦୩ର ସଫଳ ଉତ୍କ୍ଷେପଣ କରିଥିଲା। ଜିଏସ୍ଏଲ୍ଭି-ଏଫ୍୧୮ ରକେଟ୍ ମାଧ୍ୟମରେ ରାତି ୧୧ଟା ୫୧ ମିନିଟ୍ରେ ଏହି ଉପଗ୍ରହକୁ ଉତ୍କ୍ଷେପଣ କରାଯାଇଥିଲା। ଉତ୍କ୍ଷେପଣର କିଛି ସମୟ ପରେ ଜିଏସ୍ଏଲ୍ଭି-ଏଫ୍୧୮ ରକେଟ୍ ନିଜର ମିଶନକୁ ସଫଳତାର ସହ ପୂରଣ କରିଥିଲା। ରକେଟ୍ଟି ଏନ୍ଭିଏସ୍-୦୩ ଉପଗ୍ରହକୁ ନିର୍ଦ୍ଧାରିତ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ୍ (ଜିଟିଓ)ରେ ସ୍ଥାପନ କରିଥିଲା। ଏହି ନୂତନ ଉପଗ୍ରହରେ ସଠିକ୍ ସମୟ ଗଣନା ପାଇଁ ବିଦେଶରୁ ଆମଦାନୀ କରାଯାଇଥିବା ପରମାଣୁ ଘଣ୍ଟା (ଆଟୋମିକ୍ କ୍ଲକ୍) ସ୍ଥାପନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande