ଜାତୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୩୧ ଅକ୍ଟୋବର (ହି.ସ.)। ଶନିବାର ସାରା ଦେଶରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧା
प्रतीकात्मक


ନୂଆଦିଲ୍ଲୀ, ୩୧ ଅକ୍ଟୋବର (ହି.ସ.)। ଶନିବାର ସାରା ଦେଶରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶରେ ଏହି ଦିନକୁ 'ଜାତୀୟ ଏକତା ଦିବସ' ଭାବେ ମଧ୍ୟ ପାଳନ କରାଯାଏ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପ ଏବଂ ଦିଲ୍ଲୀସ୍ଥିତ ସର୍ଦ୍ଦାର ପଟେଲ ଛକରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଦେଶ ଗଠନ ଏବଂ ଏକୀକରଣରେ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା।

ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ତାଙ୍କର ଅସାଧାରଣ ଜୀବନ ଜାତୀୟ ଏକତା, ଦୃଢ଼ ସଂକଳ୍ପ ଏବଂ ନିଃସ୍ୱାର୍ଥପର ସେବାର ଶକ୍ତିର ପ୍ରମାଣ। ଜାତୀୟ ଏକତା ଦିବସ ଅବସରରେ ଦେଶ ରାଷ୍ଟ୍ର ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ମହାନ ଅବଦାନକୁ କୃତଜ୍ଞତାର ସହ ସ୍ମରଣ କରୁଛି। ତାଙ୍କର ଆଦର୍ଶ ଆଜି ମଧ୍ୟ ଏକତା ଓ ପ୍ରଗତି ଦିଗରେ ଭାରତକୁ ମାର୍ଗଦର୍ଶନ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରି କହିଛନ୍ତି ଯେ, ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସକ୍ଷମ ଭାରତ ଗଠନ ପାଇଁ ସେ ନିଜର ସମଗ୍ର ଜୀବନ ସମର୍ପିତ କରିଥିଲେ। ଭାରତ ମାତାଙ୍କ ସେବାରେ ସର୍ଦ୍ଦାର ପଟେଲଙ୍କ ତ୍ୟାଗ ଓ ସମର୍ପଣ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ କେବଳ ସ୍ୱାଧୀନ ଭାରତ ଗଠନ କରିବା ନଥିଲା, ବରଂ ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଏବଂ ସଂଗଠିତ ରାଷ୍ଟ୍ର ପ୍ରତିଷ୍ଠା କରିବା ଥିଲା। ଯେଉଁଠାରେ ବିବିଧତା ଦେଶର ଶକ୍ତି ହେବ ଏବଂ ଜାତୀୟ ଏକତା ଏହାର ପରିଚୟ ହେବ। ସେ କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟକୁ ମନେ ପକାଇଥାଏ। ସର୍ଦ୍ଦାର ପଟେଲଙ୍କ ଆଦର୍ଶକୁ ଆପଣାଇ ଏକ ଶକ୍ତିଶାଳୀ, ସମନ୍ୱିତ ଏବଂ ବିକଶିତ ଭାରତ ଗଠନରେ ଯୋଗଦାନ ଦେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଏବଂ ସ୍ୱାଧୀନତା ପରେ ଶତାଧିକ ଦେଶୀୟ ରାଜ୍ୟକୁ ଭାରତରେ ମିଶ୍ରଣ କରିବା ତାଙ୍କର ଅଦମ୍ୟ ସାହସ, ଅଟଳ ସଂକଳ୍ପ ଓ ଦେଶ ପ୍ରତି ସମର୍ପଣର ଉଦାହରଣ। ତାଙ୍କର ଦୂରଦର୍ଶୀ ନେତୃତ୍ୱ, ଅସାଧାରଣ ସାଂଗଠନିକ କ୍ଷମତା ଏବଂ ରାଷ୍ଟ୍ରସେବା ଭାବନା ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ନିଜର ଅଦମ୍ୟ ସାହସ ଏବଂ ଦୂରଦର୍ଶିତା ବଳରେ ସେ ଦେଶୀୟ ରାଜ୍ୟଗୁଡ଼ିକରେ ବିଭକ୍ତ ଭାରତକୁ ଏକତାର ସୂତ୍ରରେ ବାନ୍ଧି ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ ପକାଇଥିଲେ। ଅଖିଳ ଭାରତୀୟ ସେବା ପ୍ରତିଷ୍ଠା କରି ସେ ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ଏକ ମଜବୁତ ଆଧାର ଦେଇଥିଲେ। ଖେଡ଼ା ଏବଂ ବାରଡୋଲି ସତ୍ୟାଗ୍ରହ ମାଧ୍ୟମରେ କୃଷକଙ୍କ ଅଧିକାର ପାଇଁ ତାଙ୍କର ସଂଘର୍ଷ ଜନସେବା ଓ ନେତୃତ୍ୱର ଏକ ଅତୁଳନୀୟ ଉଦାହରଣ। ଅମିତ ଶାହ କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ତ୍ୟାଗ, ସମର୍ପଣ ଓ ଦେଶପ୍ରେମ ପ୍ରତ୍ୟେକ ନାଗରିକଙ୍କୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଗଠନ ପାଇଁ ପ୍ରେରଣା ଦେଇ ଚାଲିବ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ସର୍ଦ୍ଦାର ପଟେଲଙ୍କୁ ଭାରତ ରତ୍ନ ଏବଂ ଲୌହ ପୁରୁଷ ଭାବେ ଅଭିହିତ କରି କହିଛନ୍ତି ଯେ, ନିଜର ଅଟଳ ସଂକଳ୍ପ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆଧୁନିକ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ ଅବଦାନ ଏବଂ ତାଙ୍କର ଆଦର୍ଶରୁ ଆଗାମୀ ପିଢ଼ି ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରଣା ପାଇବେ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଥିଲେ। ସ୍ୱାଧୀନତା ପରେ ଦେଶର ଶତାଧିକ ଦେଶୀୟ ରାଜ୍ୟକୁ ଭାରତ ସହ ମିଶ୍ରଣ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହି ଅବଦାନ ପାଇଁ ତାଙ୍କୁ 'ଲୌହ ପୁରୁଷ' ଏବଂ ଆଧୁନିକ ଭାରତର ନିର୍ମାତା ଭାବେ ସ୍ମରଣ କରାଯାଏ। ତାଙ୍କ ଜୟନ୍ତୀ ଅବସରରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସ ଦେଶର ଏକତା, ଅଖଣ୍ଡତା ଏବଂ ଜାତୀୟ ସୁରକ୍ଷା ପ୍ରତି ସମର୍ପଣର ବାର୍ତ୍ତା ଦେଇଥାଏ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande