

ନୂଆଦିଲ୍ଲୀ, ନଭେମ୍ବର ୦୧ (ହି.ସ.)। ଦିଲ୍ଲୀର ରାମଲୀଳା ମୈଦାନରେ ଆଜି ହେବାକୁ ଥିବା କଂଗ୍ରେସର ରାଲିରେ ଯୋଗଦେବା ପାଇଁ ଲୋକମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏନେଇ ମଧ୍ୟ ଦିଲ୍ଲୀର ପୁଲିସ ଉପାୟୁକ୍ତ ରୋହିତ ରାଜବୀର କହିଛନ୍ତି, “ଲୋକମାନେ ରାମଲୀଳା ମୈଦାନରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆମର ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି। ରାଲିକୁ ଆସୁଥିବା ଲୋକଙ୍କ ସୁବିଧା ପ୍ରତି ଆମେ ଧ୍ୟାନ ଦେଉଛୁ। ଏଥିସହ ସ୍ଥାନୀୟ ବାସିନ୍ଦାଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ରାଲିସ୍ଥଳ ଓ ରାଲି ମାର୍ଗରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।”
ପୁଲିସ ଉପାୟୁକ୍ତ ରାଜବୀର କହିଛନ୍ତି ଯେ, ଏହି ଅଞ୍ଚଳରେ ପ୍ରାୟ ୨୫୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଆୟୋଜକମାନେ ମଧ୍ୟ ନିଜସ୍ୱ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁଲିସ ଓ ଆୟୋଜକମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ଅନ୍ୟପକ୍ଷରେ, ମଣ୍ଡି ହାଉସ୍ ସ୍ଥିତ ହିମାଚଳ ପ୍ରଦେଶ ଭବନରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି। ସେମାନେ ସେଠାରୁ ରାମଲୀଳା ମୈଦାନ ଅଭିମୁଖେ ଯାଉଛନ୍ତି। ରାମଲୀଳା ମୈଦାନରେ ପହଞ୍ଚିଥିବା ଉତ୍ତରପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ମହମ୍ମଦ ଇମ୍ରାନ କହିଛନ୍ତି ଯେ, ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ଲକ୍ଷ ଲୋକ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ରାଲିରେ ଯୋଗଦେବା ପାଇଁ ଦିଲ୍ଲୀ ଆସିଥିବା କର୍ଣ୍ଣାଟକ କଂଗ୍ରେସର ମୁଖପାତ୍ର ଟି.ଆର୍. ପ୍ରସାଦ ଗୌଡ଼ା କହିଛନ୍ତି ଯେ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ରାମଲୀଳା ମୈଦାନରେ ପହଞ୍ଚୁଛନ୍ତି।
ଏହି ରାଲିକୁ ଦୃଷ୍ଟିରେ ରଖି ସକାଳୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନ ବାହାରେ ଚଳଚଞ୍ଚଳତା ବଢ଼ିଯାଇଛି। ଏଠାରୁ କଂଗ୍ରେସର ବରିଷ୍ଠ ନେତାମାନେ କିଛି ସମୟ ପରେ ରାମଲୀଳା ମୈଦାନ ଅଭିମୁଖେ ବାହାରିବେ।
ଏହା ପୂର୍ବରୁ ଶନିବାର ଅପରାହ୍ନରେ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାର ଏବଂ ସ୍ୱତନ୍ତ୍ର ପୁଲିସ କମିଶନର (ଆଇନ ଶୃଙ୍ଖଳା) ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ ରାମଲୀଳା ମୈଦାନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ଇଣ୍ଡି ମେଣ୍ଟ ପକ୍ଷରୁ ଏହି ରାଲିରେ ୧୦ ଲକ୍ଷ ଲୋକ ଯୋଗଦେବେ ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ, ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ଜଣାଇଛି ଯେ, ରାଲିରେ ପ୍ରାୟ ୭୦ ହଜାର ଲୋକ ଯୋଗଦେବାର ଆକଳନ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୁଲିସ ରାମଲୀଳା ମୈଦାନକୁ ୧୪ଟି ଜୋନ୍ରେ ବିଭକ୍ତ କରିଛି। ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାମଲୀଳା ମୈଦାନର ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯାଇଛି। ରାଲିକୁ ଦୃଷ୍ଟିରେ ରଖି ପ୍ରମୁଖ ଛକଗୁଡ଼ିକରେ ଅତିରିକ୍ତ ୧୫୦ ଜଣ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା