
ଚଣ୍ଡିଗଡ଼, ନଭେମ୍ବର ୦୧ (ହି.ସ.)। ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସୈନି ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମ ସମସ୍ତଙ୍କୁ ପାରସ୍ପରିକ ଭେଦଭାବ ଭୁଲି ହରିୟାଣାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେବା ଉଚିତ।
୧୯୬୬ ନଭେମ୍ବର ୧ ତାରିଖରେ ପଞ୍ଜାବରୁ ଅଲଗା ହୋଇ ହରିୟାଣା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା। ରବିବାର ଏହାର ପ୍ରତିଷ୍ଠାକୁ ୬୦ ବର୍ଷ ପୂରଣ ହୋଇଛି। ଏଥିସହ ହରିୟାଣା ରାଜ୍ୟ ହୀରକ ଜୟନ୍ତୀ ବର୍ଷରେ ପ୍ରବେଶ କରିଛି।
ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଜାରି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନାୟବ ସୈନି କହିଛନ୍ତି ଯେ, ହରିୟାଣା ଗଠନ ପାଇଁ ସଂଘର୍ଷ କରିଥିବା ଏବଂ ଆଧୁନିକ ହରିୟାଣାର ନିର୍ମାଣ ପାଇଁ କଠିନ ପରିଶ୍ରମ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି ସେ ନିଜର କୃତଜ୍ଞତା ଜଣାଉଛନ୍ତି।ସେ କହିଛନ୍ତି ଯେ, ୧୯୬୬ ନଭେମ୍ବର ୧ ତାରିଖରେ ହରିୟାଣା ରାଜ୍ୟ ଗଠନ ହେବା ସମୟରେ ଏହା ଏକ ଅତ୍ୟନ୍ତ ପଛୁଆ ରାଜ୍ୟ ଥିଲା। ଏହି ରାଜ୍ୟକୁ ଆଧୁନିକ ଓ ବିକଶିତ ହରିୟାଣାରେ ପରିଣତ କରିବାରେ ଅନ୍ନଦାତା କୃଷକ, ପରିଶ୍ରମୀ ଶ୍ରମିକ, କର୍ମଠ ଶିଳ୍ପପତି ଓ ବ୍ୟବସାୟୀଙ୍କ ସମେତ ଦୃଢ଼ମନା କ୍ରୀଡ଼ାବିତ୍ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଗତ ୬୦ ବର୍ଷର ଇତିହାସକୁ ଅନୁଧ୍ୟାନ କଲେ ଆମର ଏହି ଛୋଟ ରାଜ୍ୟର ବଡ଼ ବଡ଼ ସଫଳତା ପାଇଁ ଗର୍ବ ଅନୁଭବ ହୁଏ।ସୈନି ଆହୁରି କହିଛନ୍ତି ଯେ, ଆଜି ହରିୟାଣା ଦେଶର ସବୁଠାରୁ ଦ୍ରୁତଗତିରେ ବିକାଶ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମର ସଫଳତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ହେଉଛି।ହରିୟାଣାର ହୀରକ ଜୟନ୍ତୀ ହେଉଛି ଆତ୍ମଚିନ୍ତନ କରିବା ସହ ଆଗାମୀ ସୁବର୍ଣ୍ଣ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବାର ଏକ ସୁଯୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ-୨୦୪୭ର ସ୍ୱପ୍ନକୁ ସାକାର କରିବାରେ ହରିୟାଣାର ଅବଦାନକୁ ଆହୁରି ବୃଦ୍ଧି କରିବା ଆମର ଲକ୍ଷ୍ୟ। ହରିୟାଣାର ହୀରକ ଜୟନ୍ତୀ ଅବସରରେ ସମସ୍ତ ପ୍ରକାର ଭେଦଭାବରୁ ଊର୍ଦ୍ଧ୍ୱରେ ରହି ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା