
ଝାରସୁଗୁଡ଼ା, ୩୧ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ବଦଳି ଅବସରରେ ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଖଣିଜ ପାଣ୍ଠି ପ୍ରେକ୍ଷାଳୟ ଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଝାରସୁଗୁଡ଼ା ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳୀନ ଅନୁଭୂତି ବଖାଣିବା ସହ ଜିଲ୍ଲାରେ ବହୁ ଯୁବ ଅଧିକାରୀ ରହିଥିବା ଏବଂ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ଅଦମ୍ୟ ସ୍ପୃହା ଦେଖିଥିବା ପ୍ରକାଶ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତି ଓ ବିକାଶ ନିମନ୍ତେ ସମସ୍ତେ ଏକତାବଦ୍ଧ ହୋଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଶ୍ରୀ ଆଚାର୍ଯ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ବାଉଁଶରେ ନିର୍ମିତ ହସ୍ତଶିଳ୍ପ ଫୁଲତୋଡ଼ା ଉପହାର ସ୍ୱରୂପ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନୂତନ ଭାବେ ଯୁଗ୍ମ ସଚିବ, ଓଡିଶା ଷ୍ଟାଫ ସିଲେକସନ କମିଶନ ଭାବେ କାର୍ଯ୍ୟରେ ଯୋଗଦେବା ପରେ ମଧ୍ୟ ସେ ସେଠାରେ ନିଜର ଦକ୍ଷତା, ନିଷ୍ଠା ଓ ଦାୟିତ୍ୱବୋଧର ସହ କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଥିଲେ।
ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ପି.ଡି. ଆର୍.ଏନ୍.ଆର୍. ଲଳିତ ସୋରେଙ୍ଗ ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ମଞ୍ଚାସୀନ ରହି ଶ୍ରୀ ଆଚାର୍ଯ୍ୟଙ୍କ ଦୀର୍ଘ ଓ ସଫଳ କାର୍ଯ୍ୟଜୀବନର ପ୍ରଶଂସା କରିବା ସହ ତାଙ୍କର ପରବର୍ତ୍ତୀ ପଦବୀରେ ମଧ୍ୟ ସେ ଉତ୍ତମ ଭାବେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଆଶା ପ୍ରକାଶ କରିଥିଲେ।
ଏହି ସମ୍ବର୍ଦ୍ଧନା ସଭାକୁ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସମ୍ପନ୍ନ ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ବିଦାୟୀ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଆଚାର୍ଯ୍ୟଙ୍କୁ କାର୍ଯ୍ୟାଳୟ ପରିସରରୁ ସମ୍ମାନପୂର୍ବକ ବିଦାୟ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ