ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ ଆରମ୍ଭ କଲା ବିଜେପି
Press-meet-by-BJP-JHS
ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ ଆରମ୍ଭ କଲା ବିଜେପି


ଝାରସୁଗୁଡ଼ା, ୧ ନଭେମ୍ବର (ହି.ସ.)- ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ରାଜନୈତିକ ଦ୍ୱନ୍ଦ୍ୱ, ଅପପ୍ରଚାର ଓ ଭ୍ରମାତ୍ମକ ତଥ୍ୟଠାରୁ ଦୂରେଇ ରଖି ଦେଶର ସମ୍ବିଧାନ, ଲୋକତାନ୍ତ୍ରିକ ମୂଲ୍ୟବୋଧ, ଜାତୀୟ ଏକତା ଓ ବିକାଶ ପ୍ରତି ସଚେତନ କରିବା ଆବଶ୍ୟକ। ଏହି ଆହ୍ୱାନ ସହ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ପରିପ୍ରେକ୍ଷୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା ଏବଂ ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଉପସଭାପତି ସୁଧାଂଶୁ ଦୋରା, ଜିଲ୍ଲା ବିଜେୱାଇଏମ୍ ନେତା ଅନିଲ ସାହୁ ଏବଂ ମିଡିଆ ସଂଯୋଜକ ପ୍ରବୀଣ ଶ୍ରୀବାସ୍ତବ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଦଳର ଅଭିଯାନ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ବିରୋଧୀ ଦଳର ରାଜନୈତିକ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ଦେଶରେ ଲୋକତାନ୍ତ୍ରିକ ବ୍ୟବସ୍ଥା ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଉପସଭାପତି ସୁଧାଂଶୁ ଦୋରା କହିଥିଲେ ଯେ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସଂକଳ୍ପ ନେଇଛନ୍ତି, ତାହା ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ। ଦେଶ ଆର୍ଥିକ, ସାମାଜିକ, ବୈଷୟିକ ଓ ସାମରିକ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ରାଜନୈତିକ ସ୍ୱାର୍ଥ ଓ ବାହ୍ୟ ପ୍ରଭାବ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଦେଶବାସୀ ସଚେତନ ରହିବା ଆବଶ୍ୟକ।

ସେହିପରି ବିଜେୱାଇଏମ୍ ନେତା ଅନିଲ ସାହୁ ୨୦୧୪ ପୂର୍ବରୁ ଦେଶର ଆର୍ଥିକ ଓ ସୁରକ୍ଷା ପରିସ୍ଥିତି କିପରି ଥିଲା ଏବଂ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ କେତେ ପରିବର୍ତ୍ତନ ହୋଇଛି, ତାହାର ତୁଳନାତ୍ମକ ମୂଲ୍ୟାଙ୍କନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

ମିଡିଆ ସଂଯୋଜକ ପ୍ରବୀଣ ଶ୍ରୀବାସ୍ତବ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ଉପରେ ମତ ରଖିଥିଲେ। ଯୁବପିଢ଼ି ଯେପରି ଅପପ୍ରଚାରର ଶିକାର ନ ହୋଇ ସଠିକ୍ ତଥ୍ୟ ଆଧାରରେ ନିଜର ମତ ଗଠନ କରିବେ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande